ନୂଆଦିଲ୍ଲୀ: ପରଲୋକରେ ୪୨ ବର୍ଷୀୟ ଟଲିଉଡ୍ ପ୍ରଯୋଜକ କେଦାର ସେଲାଗମସେଟ୍ଟୀ। ସୋମବାର ରାତିରେ ଦୁବାଇସ୍ଥିତ ଆପାର୍ଟମେଣ୍ଟରେ ତାଙ୍କର ମୃତଦେହ ମିଳିଥିଲା ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତାଙ୍କର ମୃତ୍ୟୁ କିପରି ହେଲା ସେ ବିଷୟରେ ମଧ୍ୟ କୌଣସି ସୂଚନା ମିଳିନାହିଁ।

Advertisment

ତେବେ କେଦାର ସେଲାଗମସେଟ୍ଟୀ ଜଣେ ଲୋକପ୍ରିୟ ପ୍ରଯୋଜକ ଥିଲେ। କୁହାଯାଉଛି ଯେ, କେଦାର ସେଲାଗମସେଟ୍ଟୀ ଏକ ପାର୍ଟିରୁ ତାଙ୍କ ଦୁବାଇସ୍ଥିତ ଆପାର୍ଟମେଣ୍ଟକୁ ଫେରି ଶୋଇବା ପାଇଁ ରୁମକୁ ଯାଇଥିଲେ। ଶୋଇଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଗୋଟିଏ ଝିଅ ଅଛନ୍ତି।

'ତେଲୁଗୁ ଫିଲ୍ମ ପ୍ରଡ୍ୟୁସର୍ସ କାଉନସିଲ'ର ଜଣେ ବରିଷ୍ଠ ପ୍ରଯୋଜକ କହିଛନ୍ତି, 'ଆମେ ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ଅଧିକାରୀକ ସୂଚନା ପାଇନାହୁଁ। ତାଙ୍କର ମୃତ୍ୟୁ କିପରି ହେଲା ତାହା ମଧ୍ୟ ଆମେ ଜାଣିନାହୁଁ।'

ସୂଚନା ମୁତାବକ, କେଦାରଙ୍କ ହାତରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ଥିଲା। ସେ ଅନେକ ବଡ଼ ବଡ଼ ତାରକାଙ୍କ ନିକଟତର ଥିଲେ। ନିର୍ଦ୍ଦେଶକ ସୁକୁମାର ଏବଂ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହିତ ଏକ ବଡ଼ ପ୍ରୋଜେକ୍ଟ ମଧ୍ୟ ଘୋଷଣା କରିଥିଲେ କେଦାର। ୨୦୨୪ରେ ରିଲିଜ୍ ହୋଇଥିବା ଫିଲ୍ମ 'ଗମ୍ ଗମ୍ ଗଣେଶା' ପାଇଁ କେଦାର ଜଣାଶୁଣା ଥିଲେ। ଏହି ଫିଲ୍ମରେ ଆନନ୍ଦ ଦେବରକୋଣ୍ଡା ମୁଖ୍ୟ ଭୂମିକାରେ ଥିଲେ।