ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ମୋତେ କାମ ମିଳୁନି। ମୁଁ କାହାକୁ କାମ ବି ମାଗିପାରିବିନି। ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ଅଙ୍କିତାଙ୍କ ବିବାହ ହୋଇଥିଲା। ଏହା ପରେ ସେ କିଛି ରିୟାଲିଟି ସୋ’ରେ ନଜର ଆସିଥିଲେ ବି କୌଣସି ବଡ଼ ଫିଲ୍ମ ବା ଧାରାବାହିକରେ ସେ ନଜର ଆସୁନଥିବା ଦେଖାଯାଇଛି।
କାମ ମିଳୁନଥିବାରୁ ଅଙ୍କିତା କହିଛନ୍ତି, “ ‘ମାଣିକର୍ଣ୍ଣିକା’ ପରେ, ମୋ ହାତକୁ ବଡ଼ ପ୍ରୋଜେକ୍ଟ ଆସିନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ମୋତେ ଆଗକୁ ବଢ଼ାଇବା ପାଇଁ ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନାହାନ୍ତି। ମୁଁ ପ୍ରତିଭାଶାଳୀ ଥିଲି, ତାହା ମୁଁ ଜାଣେ। ହେଲେ ମୋ ପାଖକୁ ଏପର୍ଯ୍ୟନ୍ତ କୌଣସି ସ୍କ୍ରିପ୍ଟ ଆସିନାହିଁ। ”
ସେ ଆହୁରି କହିଛନ୍ତି ଯେ “ଇଣ୍ଡଷ୍ଟ୍ରିରେ ମାହୋଲ ଅଲଗା। କିଛି କଳାକାର କୁହନ୍ତି ଯେ, ତାଙ୍କୁ ଭଲ ଅଫର ମିଳିନାହିଁ। ଭଲ ଅଫର ମିଳିଲେ ସେ କାମ କରିବେ। ହେଲେ ମୋତେ ମନା କରିବା ପାଇଁ ହିଁ ଗୋଟିଏ ଅଫିର ମିଳିନାହିଁ। ଭଲ ଓ ଖରାପ ପଛ କଥା। ଏବଂ ମୁଁ ଯାଇ ଅନ୍ୟମାନଙ୍କ ଭଳି କାମ ମାଗି ପାରିବି ନାହିଁ, ମୁଁ ସେଭଳି ନୁହେଁ। ”
ତେବେ ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସ୍ତା’ରେ ଅର୍ଚ୍ଚନା ଦେଶମୁଖ ଭୂମିକାରେ ନଜର ଆସି ଘରେ ଘରେ ଲୋକପ୍ରିୟ ହୋଇଥିଲେ ଅଙ୍କିତା। ଏହି ଧାରାବାହିକ ପରେ ଅଙ୍କିତା ଟିଭି ଇଣ୍ଡଷ୍ଟ୍ରିରେ ଏକ ବଡ଼ ନାଁ ପାଲଟିଥିଲେ। ହେଲେ ଏହି ଧାରାବାହିକ ଶେଷ ହେବା ପରେ ଅଙ୍କିତାଙ୍କୁ ଆଉ କାମ ମିଳିନାହିଁ।