ନିର୍ଦ୍ଦେଶିକା ଭାବେ ବଲିଉଡ୍‌ରେ ଡେବ୍ୟୁ କଲେ ଓଡ଼ିଆ ଝିଅ ଦେବମିତ୍ରା, ‘ମୋତିଚୁର୍‌ ଚଖ୍‌ନାଚୁର୍‌’ର ଟ୍ରେଲର୍ ଦିନକରେ ୬୦ ଲକ୍ଷ ଥର ଦେଖିଲେ ଦର୍ଶକ

ଭୁବନେଶ୍ୱର: ବଲିଉଡ୍‌ରେ ଆଉ ଜଣେ ଓଡ଼ିଆ ଝିଅ। ଆଉ ମାତ୍ର କିଛି ମାସ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଝିଅ ଦେବମିତ୍ର ବିଶ୍ୱାଳ ହସନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମୋତିଚୁର୍‌ ଚଖ୍‌ନାଚୁର୍‌’ ରିଲିଜ୍‌ ହେବାକୁ ଥିବା ବେଳେ ୟୁଟ୍ୟୁବ୍‌ରେ ଚର୍ଚ୍ଚା ପାଲଟିଛି ଟ୍ରେଲର୍‌। ଗତ କାଲି ଅପ୍‌ଲୋଡ ହୋଇଥିବା ୨ ମିନିଟ୍‌ ୨୧ ସେକେଣ୍ଡ୍‌ର ଏହି ଫିଲ୍ମର ଟ୍ରେଲ୍‌ରର ଏବେ ସୁଦ୍ଧା ୬୦ ଲକ୍ଷ ଭିୟୁ ହୋଇ ସାରିଲାଣି।

ନଭେମ୍ବର ୧୫ରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରଟିରେ ମୁଖ୍ୟଭୂମିକାରେ ଆସୁଛନ୍ତି ନଓ୍ଵାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଆଥିୟା ସେଠୀ। ଏଥିରେ ନଓ୍ଵାଜୁଦ୍ଦିନ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଭୂମିକାରେ ନଜର ଆସିବେ। ସେ ଆଥିୟାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଆଥିୟାଙ୍କ ସ୍ୱପ୍ନ ଥିବ ଜଣେ ପ୍ରବାସୀ ଭାରତୀୟଙ୍କୁ ବିବାହ କରିବାକୁ। ପରେ ସେ ଦୁହିଁଙ୍କର ବିବାହ ହେଉଛି ଓ ହସ-ମଜ୍ଜାର ମାହଲ ସୃଷ୍ଟି ହୋଇଯାଉଛି।

ଭୁବନେଶ୍ୱରର  ଝିଅ ଦେବମିତ୍ର ଚଳଚ୍ଚିତ୍ରର କାହାଣୀ ଓ ନିର୍ଦ୍ଦେଶନା ଦେଇଥିବା ସାଥେ ସାଥେ ତାଙ୍କ ୧୫ ବର୍ଷର ସ୍ୱପ୍ନକୁ ପୂରା କରିଛନ୍ତି। ସେ ଅନେକ ବର୍ଷ ହେବ ବଲିଉଡ୍‌ ନିର୍ଦ୍ଦେଶକ ହେବାର ସ୍ୱପ୍ନ ଦେଖି ଆସୁଥିଲେ। ପୂର୍ବରୁ ସେ ବାଲାଜୀ ଟେଲି ଫିଲ୍ମସ ସହକାରୀ ନିର୍ଦ୍ଦେଶକ ଭାବେ ନିଜ ବୃତ୍ତି ଆରମ୍ଭ କରିଥିଲେ। ‘ରାଧା କି ବେଟିୟାଁ କୁଛ କର ଦିଖାଏଗି’ ଓ ‘ଲପ୍ତାଗଞ୍ଜ’ ଚଳଚ୍ଚିତ୍ରରେ କ୍ରିଏଟିଭ୍‌ ଡିରେକ୍ଟର ଭାବେ କାର୍ଯ୍ୟ କରି ସାରିଛନ୍ତି।

ସେ ନଜର କାହାଣୀ ଧରି ଅନେକ ପ୍ରଯୋଜକଙ୍କୁ ଭେଟିଛନ୍ତି। ଶେଷରେ ଗତବର୍ଷ ପ୍ରଯୋଜକ ରାଜେଶ ଭାଟିଆ ଏବଂ କିରଣ ଭାଟିଆଙ୍କ ସହ ଚୁକ୍ତି ହୋଇଥିଲା। ତାଙ୍କୁ ଏକାକାଳୀନ ୩ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅଫର ମିଳିଛି।

ପ୍ରଯୋଜନା ସଂସ୍ଥା ଉଡ୍‌ପେକର ପାରିଶ୍ରମିକ ଦେଇ ନ ଥିଲା ବୋଲି ବମ୍ବେ ହାଇକୋର୍ଟରେ ଦେବମିତ୍ରା ଅଭିଯୋଗ ଆଣିବା ପରେ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହାର ଟ୍ରେଲର୍ ରିଲିଜ୍‌ ଉପରେ  ସ୍ଥଗିତାଦେଶ ଜାରି କରିଥିଲେ। ମାତ୍ର ଅକ୍ଟୋବର ୯ ତାରିଖରେ ପ୍ରଯୋଜନା ସଂସ୍ଥାର ଓକିଲ କୋର୍ଟଙ୍କୁ  ଦେବମିତ୍ରାଙ୍କୁ ପାରିଶ୍ରମିକ ଦିଆଯାଇଥିବା ଜଣାଇବା ପରେ ଏହାର ଟ୍ରେଲର୍ ରିଲିଜ୍‌  ହୋଇଛି।

ସମ୍ବନ୍ଧିତ ଖବର