ରିୟାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟ୍‌ରୁ ଦେଣନେଣ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅର୍ଥ ଠକେଇ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରଚୁର ପରିମାଣର ଅର୍ଥ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୯୦ ଦିନ ମଧ୍ୟରେ ସୁଶାନ୍ତଙ୍କ ବ୍ୟାଙ୍କ ବାଲାନ୍ସ ୪.୬୪ କୋଟିରୁ ୧.୪ କୋଟିକୁ ହ୍ରାସ ପାଇଛି। ରିୟାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ଓ ତାଙ୍କ ଭାଇଙ୍କ ଆକାଉଣ୍ଟକୁ ଲଗାତାର ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି। ୨୦୧୯ ଅକ୍ଟୋବର ୧୪ରେ ସୁଶାନ୍ତଙ୍କ ଆକାଉଣ୍ଟରେ ୪.୭ କୋଟିରୁ ଅଧିକ ଟଙ୍କା ରହିଥିଲା। ସେହି ଦିନ ରିୟାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ବିମାନ ଟିକେଟ ପାଇଁ ୮୧,୯୦୧ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା। ପରଦିନ ଅର୍ଥାତ୍ ଅକ୍ଟୋବର ୧୫ରେ ଶୋଭିକ୍‌ଙ୍କ ହୋଟେଲ ଖର୍ଚ୍ଚ ପାଇଁ ୪.୭ ଲକ୍ଷ ଟଙ୍କା ପଠା ଯାଇଥିଲା। ଅକ୍ଟୋବର ୧୬ରେ ରିୟା ଓ ଶୋଭିକଙ୍କ ଦିଲ୍ଲୀକୁ ଟିକେଟ୍‌ ପାଇଁ ୭୬ ହଜାର ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା।

ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ର ସବିଶେଷ ତଥ୍ୟରୁ ଜଣାପଡ଼ିଛି ଯେ ଏହାପରେ ମଧ୍ୟ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା। ନଭେମ୍ବର ୧୪ରେ ରିୟାଙ୍କ ନାମରେ ୧.୫ଲକ୍ଷ ଟଙ୍କାର ଆଉ ଏକ ନେଣଦେଣ ହୋଇଥିଲା। ନଭେମ୍ବର ୨୧ରେ ରିୟାଙ୍କ ମେକ୍‌ଅପ୍ ଏବଂ ସପିଂ ପାଇଁ ୭୫ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ନଭେମ୍ବର ୨୪ରେ ରିୟା ୨୨ହଜାର ୨୨୦ ଟଙ୍କାର ସପିଂ କରିଥିଲେ। ନଭେମ୍ବର ୨୫ରେ ସୁଶାନ୍ତ ରିୟାଙ୍କ ଭାଇଙ୍କ ଟ୍ୟୁସନ୍‌ ଫି’ ମଧ୍ୟ ପ୍ରଦାନ କରିଥିଲେ। ଏପରି ନିୟମିତ ଭାବେ ଅନେକବାର ଟଙ୍କା କାରବାର ହୋଇଥିବା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଜଣାପଡ଼ିଛି। ଏସବୁ କେବଳ ରିୟାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ସହ ହିଁ ଜଡ଼ିତ। ସୁଶାନ୍ତଙ୍କ ଟଙ୍କାର ଏକ ସିଂହଭାଗ ନଗଦ କାରବାର ହୋଇଥିଲା ଏବଂ ଏହି କାରବାରର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ରିୟା ସୁଶାନ୍ତଙ୍କଠାରୁ ୧୫କୋଟି ଟଙ୍କା ଠକେଇ କରିଥିବା ସୁଶାନ୍ତଙ୍କ ପରିବାର ଅଭିଯୋଗ ଆଣିଛି।

ସମ୍ବନ୍ଧିତ ଖବର