‘ବିଗ୍‌ ବସ୍‌’ରୁ ବିଦାୟ ନେଇଥିବା ମାନ୍ୟାଙ୍କ ସଂଘର୍ଷ କାହାଣୀ ଆଖିରେ ଲୁହ ଆଣେ

ପ୍ରତିକୂଳ ପରିବେଶରେ ବି ନିଜର ନିଷ୍ଠା ଓ ଅଧ୍ୟବସାୟ କିପରି ଜଣକର ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିଥାଏ, ତାହାର ଏକ ନିଛକ୍‌ ଉଦାହରଣ ହେଉଛନ୍ତି ୨୦୨୦ ଭାରତ ସୁନ୍ଦରୀ ପ୍ରତିଯୋଗିତାର ଉପବିଜୟିନୀ ମାନ୍ୟା ସିଂହ। ନିକଟରେ ସେ ଭାଗ ନେଇଥିବା ପ୍ରତିଯୋଗିତାମୂଳକ ବାସ୍ତବବାଦୀ ଟିଭି ଧାରାବାହିକ ‘ବିଗ୍‌ ବସ୍‌’ରୁ ବାହାର ହୋଇଯାଇଥିଲେ ହେଁ, ତାଙ୍କ ପ୍ରତି ଦର୍ଶକଙ୍କର ଦରଦ ବଜାୟ ରହିଛି। ୨୦୦୧ ମସିହାରେ ଉତ୍ତର ପ୍ରଦେଶର କୁଶୀନଗର ଠାରେ ଏକ ଗରିବ ହିନ୍ଦୁ ପରିବାରରେ ଜନ୍ମିତ ମାନ୍ୟା ପିଲାଟି ଦିନରୁ ଦାରିଦ୍ର୍ୟ ଏବଂ ସାମାଜିକ ହିଂସାର ସାମନା କରି ଆସିଛନ୍ତି। ସେହି କାରଣରୁ ତାଙ୍କର ତୃତୀୟ ଶ୍ରେଣୀରୁ ବିଦ୍ୟାଳୟ ଯିବା ବନ୍ଦ ହୋଇ ଯାଇଥିଲା।

ତେବେ ପଢ଼ିବା ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ପୁଣି ଥରେ ଅଷ୍ଟମ ଶ୍ରେଣୀରୁ ନିୟମିତ ବିଦ୍ୟାଳୟ ଯିବାକୁ ପ୍ରବର୍ତ୍ତାଇଥିଲା। ନିଜର ପାଠ ଖର୍ଚ୍ଚ ତୁଲାଇବା ଲାଗି ତାଙ୍କୁ ଅନ୍ୟ ଘରେ ବାସନ ମଜାଠୁ ଆରମ୍ଭ କରି ଫୋନ୍ ସେଣ୍ଟରରେ କାମକରି ଅସାଧ୍ୟ ସାଧନ କରିବାକୁ ପଡ଼ିଥିଲା। ଖର୍ଚ୍ଚ କମାଇବା ପାଇଁ ସେ ଦୂରରେ ଅବସ୍ଥିତ ତାଙ୍କ ଗୁଜରାଣ ସ୍ଥଳୀକୁ ରିକ୍ସାରେ ନଯାଇ ଚାଲି ଚାଲି ଯାଉଥିଲେ। ଏଭଳି ଦୁସ୍ତ ଜୀବନଯାପନ ଭିତରେ ସେ ଦଶମ ଶ୍ରେଣୀରେ ଅଶୀ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହ ଦ୍ବାଦଶ ପରୀକ୍ଷାରେ ସ୍କୁଲ୍‌ରେ ଶୀର୍ଷସ୍ଥାନ ଦଖଲ କରିଥିଲେ। ଏହା ପରେ ସେ ଛୋଟବଡ଼ ଚାକିରି କରି ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବା ଆଶାରେ ସେ ବ୍ୟାଙ୍କିଙ୍ଗ୍‌ ଓ ବୀମା ପରିଚାଳନା ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହି ଅବସରରେ ମାନ୍ୟାଙ୍କର ଅସାମାନ୍ୟ ବୁଦ୍ଧିମତା ସାଙ୍ଗକୁ ତାଙ୍କର ନିରୀହ ଚେହେରା ଓ ମନଲୋଭା ଠାଣି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳରେ କିଛି ଶୁଭେଚ୍ଛୁଙ୍କ ପ୍ରୋତ୍ସାହନରେ ସେ ଗ୍ଲାମର ଦୁନିଆରେ ନାମ କମାଇବା ପାଇଁ ମନ ବଳାଇଥିଲେ। ସେଥିପାଇଁ ସେ ସ୍ନାତକ ଶିକ୍ଷା ବେଳେ ନିଜ ରୋଜଗାରରୁ କିଛି ବ୍ୟୟ କରି ମଡେଲିଂରେ ପ୍ରଶିକ୍ଷଣ ନେଇଥିଲେ।

ଏ ଦିଗରେ ତାଙ୍କର ପ୍ରଥମ ଅନୁଭୁତି ସ୍ବରୂପ ସେ ୨୦୨୦ ମସିହାର ଭାରତ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ଉପବିଜୟିନୀ ମୁକୁଟ ଧାରଣ କରିପାରିଥିଲେ। ଏହାପରେ ସେ ‘ବିଗ୍‌ ବସ୍‌-୧୬’ରେ ଅବତୀର୍ଣ୍ଣ ହୋଇ ନିଜର ଲୁକ୍କାୟିତ ଭିନ୍ନ ଯାଦୁ ପରଶିବା ପାଇଁ ଇଚ୍ଛା କରିଥିଲେ। ତେବେ ମାତ୍ର ତିନି ସପ୍ତାହର ଅନୁଭୂତି ପରେ ସେ ଏହି ପ୍ରତିଯୋଗିତାରୁ ବିଦା ହୋଇଛନ୍ତି। ଅନେକ ଦର୍ଶକ ଏଥିପାଇଁ ତାଙ୍କୁ ନକାରାତ୍ମକ ଟିପ୍ପଣୀ କରିଥିବା ବେଳେ ତାଙ୍କ ଦୁର୍ବିଷହ ଜୀବନ ସମ୍ପର୍କରେ ଜାଣିଲା ପରେ ଅନେକ ସହାନୁଭୂତି ମଧ୍ୟ ଜଣାଇଛନ୍ତି। ତେବେ ‘ବିଗ୍‌ ବସ୍‌’ରୁ ଏପରି ଅପ୍ରତ୍ୟାଶିତ ବାହାର ହୋଇଯିବା ଅବସ୍ଥାକୁ ଗ୍ରହଣ କରିବା ଲାଗି ସେ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି। କାରଣ ଏଭଳି ଗ୍ଲାମର୍‌ପୂର୍ଣ୍ଣ ତଥା ଲୋକପ୍ରିୟ ଧାରାବାହିକ ପାଇଁ ସେ ଏକ ଅନାମଧେୟ ଉଚ୍ଚାରଣ ଥିଲା ବେଳେ ଅନ୍ୟ ପ୍ରତିଯୋଗୀ ଦ୍ବୟ ତାଙ୍କ ଅପେକ୍ଷା ଅଧିକ ପରିଚିତ ଥିଲେ ବୋଲି ସେ ନିଜକୁ ବୁଝାଇ ଦେଇଛନ୍ତି। ତେବେ ଭବିଷ୍ୟତରେ ଏହି ପ୍ରତିଯୋଗିତାଧର୍ମୀ ଧାରାବାହିକରେ ୱାଇଲ୍ଡ କାର୍ଡ ମାଧ୍ୟମରେ ସେ ପୁନଃପ୍ରବେଶ କରି ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରିବେ ନାହିଁ ବୋଲି ମାନ୍ୟା ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର