ମୁମ୍ବାଇ: ବର୍ତ୍ତମାନ ଦେଶରେ ସିଏଏ ଏବଂ ଏନଆରସିକୁ ନେଇ ଦେଶରେ ବାଦ, ବିବାଦ, ହିଂସା ଭଳି ପରିବେଶ ସୃଷ୍ଟି ହୋଇଛି। କିଛି ଲୋକ ଏହାର ସପକ୍ଷରେ ଥିବା ବେଳେ ଆଉ କିଛି ଲୋକ ଏହାର ବିପକ୍ଷରେ ରହିଛନ୍ତି। ଅଭିନେତ୍ରୀ ସ୍ବରା ଭାସ୍କର ଭିନ୍ନ ଭିନ୍ନ ମଞ୍ଚରେ ଏହା ବିପକ୍ଷରେ ବୟାନ ଦେଉଥିବା ଦେଖାଯାଉଛି। ନିକଟରେ ତାଙ୍କୁ ଏକ ମଞ୍ଚରେ ଏନଆରସିକୁ ନେଇ ପ୍ରଶ୍ନ ପଚରାଯାଇଥିଲା ଯାହାର ଜବାବ୍ ଦେଇ ସେ ଏବେ ଟ୍ରୋଲ ହୋଇଛନ୍ତି। ତେବେ କାନପୁରର ବରିଷ୍ଠ ଓକିଲ ବିଜୟ ବକ୍ସି କାନପୁର ସିଏମଏମ୍-୭ କୋର୍ଟରେ ସ୍ବରାଙ୍କ ବିରୋଧରେ ରାଜଦ୍ରୋହର ନୋଟିସ୍ ଜାରି କରିଛନ୍ତି। ସ୍ବରାଙ୍କ ବିରୁଦ୍ଧରେ ଆଇପିସି ଧାରା ୧୨୪ଏ , ୧୫୩ ଏ , ୧୫୩ ବି ଏବଂ ୫୦୫ (୨) ଅନୁଯାୟୀ ଅଭିଯୋଗ କରିଛନ୍ତି ବରିଷ୍ଠ ଓକିଲ ବିଜୟ ବକ୍ସି। ଯାହାର ଶୁଣାଣି ମାର୍ଚ୍ଚ ୨୦ରେ ହେବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି।
ସେ କରିଥିବା ଅଭିଯୋଗରେ ଲେଖାଯାଇଛି କି, ସ୍ବରା ଭାସ୍କର ଭାରତ ସରକାରଙ୍କୁ ଅସ୍ଥିର କରିବା ସହ ଦୁଇ ସଂପ୍ରଦାୟ ଭିତରେ ବିବାଦ ସୃଷ୍ଟି କରିବା ପାଇଁ ଏଭଳି ହିଂସା ସୃଷ୍ଟି କଲା ଭଳି ବୟାନ୍ ଦେଉଛନ୍ତି। ଏଭଳି କିଛି ସେଲିବ୍ରିଟିଙ୍କ ବୟାନ୍ ପାଇଁ ଦିଲ୍ଲୀ ଏବେ ଗମ୍ଭୀର ଦଶା ଭୋଗୁଛି। ଏମାନଙ୍କ ବିବାଦୀୟ ବୟାନ୍ ପାଇଁ ନିରୀହ ଦିଲ୍ଲୀବାସୀଙ୍କ ଜୀବନ ଚାଲିଯାଉଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ମୁଁ ଅଭିନେତ୍ରୀଙ୍କ ବିରୁଦ୍ଧରେ ରାଜଦ୍ରୋହ ନୋଟିସ୍ ଜାରି କଲି।