ନୂଆଦିଲ୍ଲୀ: ଏପରି ଅନେକ କଳାକାର ଅଛନ୍ତି, ଯେଉଁମାନେକି ଗୋଟାଏ ସିନେମା କରିବା ପରେ ଭିନ୍ନ ଏକ ପରିଚୟ ପାଇଥାନ୍ତି। ସେହି ଚଳଚ୍ଚିତ୍ର ପରେ ତାଙ୍କୁ ପଛକୁ ଦେଖିବାର ସୁଯୋଗ ମିଳିନଥାଏ । ଗୋଟାଏ ଗୋଟାଏ ଫିଲ୍ମ ଜଣେ କଳାକାରଙ୍କ ଭାଗ୍ୟ ବଦଳାଇବାକୁ ଯଥେଷ୍ଟ। ନିକଟରେ ରିଲିଜ୍‌ ହୋଇଥିବା ରଣବୀର କପୁରଙ୍କ ‘ଆନିମଲ୍‌’ ସିନେମାର ତୃପ୍ତି ଢିମ୍‌ରିଙ୍କ ଅଭିନୟକୁ ଆପଣ ଦେଖିଥିବେ। ଏହି ଫିଲ୍ମ ରିଲିଜ୍‌ ହେବା ପରେ ସେ ଆଶ୍ଚର୍ଯ୍ୟଜନକ ଲୋକପ୍ରିୟତା ପାଇଛନ୍ତି। ଏ ପ୍ରସଙ୍ଗରେ ଅଭିନେତ୍ରୀ କହନ୍ତି ଯେ ସେ ଏହି ଫିଲ୍ମ କରିବା ପ‌ରେ ତାଙ୍କ ଆଖିରୁ ନିଦ ହଜିଯାଇଛି ଓ ତାଙ୍କ ପାଖକୁ ଲଗାତର୍‌ କଲ୍‌ ଆସୁଛି।

Advertisment

ସେ ନିକଟରେ ‘ପିଙ୍କ୍‌ଭିଲା’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ‘‘ମୋ ଫୋନ୍‌ ଲଗାତର ବାଜି ଚାଲିଛି। ମୋ ଆଖିରୁ ନିଦ ହଜିଯାଇଛି। କାରଣ ମେସେଜ୍‌ ପଢ଼ିବାର ଯେଉଁ ଉତ୍ସୁକତା ତାହା ମୋତେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅନିଦ୍ରା ରଖାଉଛି। ସବୁ କିଛି ବହୁତ ଭଲ ଚାଲିଛି। ମୋତେ ବହୁତ ଭଲପାଇବା ମିଳୁଛି। ଏହା ଏକ ବହୁତ ଭଲ ଅନୁଭବ।’’

ଡିସେମ୍ବର ୧ ତାରିଖରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମଟି ସାରା ବିଶ୍ବରେ ୬୦୦ କୋଟି ଟଙ୍କାର ବେପାର କରି ସାରିଲାଣି। ଗତ ସପ୍ତାହରେ ରିଲିଜ୍ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଗୋଟିଏ ସପ୍ତାହରେ ସାରା ବିଶ୍ବରେ ୫୦୦ କୋଟିରୁ ଅଧିକ ବ୍ୟବସାୟ କରିଥିଲା। ଏହା ଭିତରୁ କେବଳ ଭାରତରୁ ଆସିଥିଲା ପାଖାପାଖି ୩୫୦ କୋଟି।

‘ଆନିମଲ୍‌’ ତ ଭଲ ବ୍ୟବସାୟ କରୁଛି, କିନ୍ତୁ ଫିଲ୍ମଟିକୁ ମିଶ୍ରିତ ରିଭ୍ୟୁ ମିଳିଛି। ସମସ୍ତେ ରଣବୀର ଓ ବବି ଦେଓଲ୍‌ଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରୁଛନ୍ତି। କିନ୍ତୁ ଫିଲ୍ମର କାହାଣୀକୁ ନେଇ ଲୋକେ ଦି’ଭାଗ ହୋଇ ଯାଇଛନ୍ତି। ଅଧା ଏହାକୁ ଖୁବ୍ ପ୍ରଶଂସା କରୁଥିବା ବେଳେ ଅଧା ଦର୍ଶକ ଏଥିରେ ଖୁବ୍ ହିଂସା ପ୍ରଦର୍ଶନ କରାଯାଇଛି କହି କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି।