ମୁମ୍ବାଇ: ଗିରଫ ଡରରେ ସାଉଥ ଷ୍ଟାର ତ୍ରିଶା କ୍ରିଷ୍ଣନନଙ୍କୁ କ୍ଷମା ମାଗି‌ଲେ ଅଭିନେତା ମନସୁର ଅଲି ଖାନ୍। ତ୍ରିଶାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ଏତଲା ରୁଜୁ ହେବା ସହ ପୁଲିସ ପଚରାଉଚରା କରିବାକୁ ସମନ ପଠାଇବାରୁ ଅ‌ଭିନେତା ଫେରାର ହୋଇଯାଇଥିବା ଚର୍ଚ୍ଚା ହୋଇଥିଲା। ଏହା ସହ ମନସୁର କ୍ଷମା ମାଗିବ‌େ ନାହିଁ ବୋଲି କହିଥିଲେ।

Advertisment

ହେଲେ ଏବେ କ୍ଷମା ମାଗି ମନସୁର ଅଲି ଖାନ କହିଛନ୍ତି, 'ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବା ମୋର ସହକଳାକାର ତ୍ରିଶା, ଦୟାକରି ମୋତେ କ୍ଷମା କରନ୍ତୁ। ମୁଁ ଆଶା କରୁଛି ଯେ ତୁମ ବିବାହରେ ତୁମକୁ ଆଶୀର୍ବାଦ ଦେବା ପାଇଁ ଭଗବାନ ମୋତେ ଦିନେ ସୁଯୋଗ ଦେବେ।'

ତେବେ ମନସୁରଙ୍କ କ୍ଷମା ପ୍ରାର୍ଥନା ପରେ ତ୍ରିଶା ଏକ୍ସରେ ଲେଖିଛନ୍ତି, ଭୁଲ ମଣିଷ ଦ୍ବାରା ହୁଏ। କ୍ଷମା କରିଦେବା ଏକ ଐଶ୍ୱରୀୟ କାର୍ଯ୍ୟ। ତାଙ୍କର ଏଭଳି ପୋଷ୍ଟ ଦେଖିବା ପରେ ତ୍ରିଶା, ମନସୁରଙ୍କୁ କ୍ଷମା କରିଦେଇଥିବା ଚର୍ଚ୍ଚା ହେଉଛି।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକ ସମ୍ମିଳନୀ କରି ମନସୁର କିଛି ଦିନ ତଳେ କହିଥିଲେ ଯେ, “ଯେତେବେଳେ ମୁଁ ଶୁଣିଲି ଯେ ‘ଲିଓ’‌ରେ ତ୍ରିଶା ମଧ୍ୟ ଅଛନ୍ତି ସେତେବେଳେ ମୁଁ ଭାବିଥିଲି ଫିଲ୍ମରେ ମୋର ଦୁଷ୍କର୍ମ ଦୃଶ୍ୟ ରହିବ। ମୁଁ ଭାବିଥିଲି ମୁଁ ତାଙ୍କୁ ଟେକି ଶୋଇବା ଘରକୁ ନେଇଯିବି ଯେପରି ମୁଁ ମୋର ପୂର୍ବ ସିନେମାରେ ଅନ୍ୟ ଅଭିନେତ୍ରୀମାନଙ୍କ ସହିତ କରିଥିଲି। ମୁଁ ବହୁତ ଦୁଷ୍କର୍ମ ଦୃଶ୍ୟ କରିସାରିଛି ଏବଂ ଏହା ମୋ ପାଇଁ ନୂଆ ନୁହେଁ। କିନ୍ତୁ ‘ଲିଓ’ର ସୁଟିଂ ସମୟରେ ମୋତେ ତ୍ରିଶାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଲାନି।”