ସେଲିବ୍ରିଟି ଓ ଟ୍ରୋଲିଂ ଗୋଟିଏ ମୁଦ୍ରାର ଦୁଇପାର୍ଶ୍ବ ହୋଇଗଲେଣି। ବିଶେଷ କରି ବଲିଉଡ୍ ତାରକାମାନେ ନିଜ ମନ୍ତବ୍ୟ ପାଇଁ ସାମାଜିକ ଗଣମାଧ୍ୟମରେ ଭୀଷଣ ଭାବରେ ଟ୍ରୋଲିଂର ଶିକାର ହେଉଛନ୍ତି। ଏହି ଟ୍ରୋଲିଂ କିପରି ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି, ସେ ବାବଦରେ ପୂର୍ବରୁ ଦୀପିକା ପାଦୁକୋନ୍, କରନ ଜୋହର, ଅନନ୍ୟା ପାଣ୍ଡେ ଓ ରବିନା ଟଣ୍ଡନ ପ୍ରମୁଖ କ୍ଷୋଭ ପ୍ରକାଶ କରି ସାରିଛନ୍ତି। ଏବେ ସାରା ଅଲ୍ଲୀ ଖାଁ ମଧ୍ୟ ମୁହଁ ଖୋଲିଛନ୍ତି। ସମାଲୋଚନା ଓ ଟ୍ରୋଲିଂ ତାଙ୍କ ଜୀବନକୁ ଭୀଷଣ ପ୍ରଭାବିତ କରୁଛି ବୋଲି ସାରା ଏକ ସାକ୍ଷାତ୍କାରରେ କହିଛନ୍ତି। ତାଙ୍କ କହିବାନୁସାରେ, ସମାଲୋଚନା ଓ ଟ୍ରୋଲିଂକୁ ସହ୍ୟ କରିବା ବହୁତ କଷ୍ଟକର।
ବିଶେଷ କରି ତାହା ବ୍ୟକ୍ତିଗତ ଆକ୍ଷେପ ହୋଇଥିଲେ, ଆଦୌ ସହନଯୋଗ୍ୟ ନୁହେଁ। ତେବେ ଧୀରେ ଧୀରେ ସେଥିରୁ କ୍ଷାନ୍ତ ହେବା ସେ ଶିଖିପାରିଛନ୍ତି। କାରଣ ସେ ଯାହା କରୁଛନ୍ତି, ତାହା ସମସ୍ତଙ୍କୁ ଭଲ ଲାଗି ନପାରେ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ତେଣୁ ତାଙ୍କର କାର୍ଯ୍ୟକଳାପରେ କିଏ କ’ଣ ପ୍ରତିକ୍ରିୟା ରଖିଲା, ସେଥିପ୍ରତି ପ୍ରତିକ୍ରିୟାଶୀଳ ନ ହୋଇ ବରଂ ସମାଜରେ ନିଜର ଭୂମିକାକୁ ଆହୁରି ବଳିଷ୍ଠ କରିବା ଉପରେ ଗୁରୁତ୍ବାରୋପ ଆରମ୍ଭ କରିଛନ୍ତି। ଅପରପକ୍ଷେ, ସମାଲୋଚନା ଆତ୍ମସମୀକ୍ଷା ପାଇଁ ଖୋରାକ ଯୋଗାଉଛି ବୋଲି ସେ ଧରିନେଇଛନ୍ତି। ଆକ୍ଷେପମୂଳକ ମତାମତକୁ ଆତ୍ମସମ୍ମାନ ପ୍ରତି ଆଞ୍ଚ ବୋଲି ବିଚାରିବା ପରିବର୍ତ୍ତେ ତାହା ଆତ୍ମପ୍ରଗତି ପାଇଁ ବାଟ ଖୋଲିଦେଇଛି ବୋଲି ସାରା କହିଛନ୍ତି। ଏହି ଅବସରରେ କ୍ୟାରିଅର ଆରମ୍ଭ ବେଳେ କିପରି ସାରାଙ୍କୁ ନିଜକୁ ପ୍ରମାଣିତ କରିବାରେ ଓ ସମସ୍ତଙ୍କର ଆଶା ପୂରଣ କରିବାରେ ଭୀଷଣ ଚାପର ଶିକାର ହେବାକୁ ପଡ଼ିଥିଲା ତାହା ସେ କଥା ପ୍ରକାଶ କରିଛନ୍ତି।