ମୁମ୍ବାଇ: ଫିଲ୍ମ ଫ୍ଲପ ହେଲେ ନିର୍ଦ୍ଦେଶକଙ୍କ ଭିତରେ କିଛି ଦୋଷ ଅଛି ବୋଲି ମୁଁ ଭାବିବି। ପ୍ରଚାର ସମୟରେ ଏଭଳି କହି ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର କପୁର। ସୋମବାର ମୁମ୍ବାଇରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ତୁ ଝୁଟି ମେଁ ମକ୍କାର'ର ଟ୍ରେଲର ଲଞ୍ଚ କରାଯାଇଥିଲା। ୟୁଟ୍ୟୁବରେ ଟ୍ରେଲର ରିଲିଜ୍ ହେବା ପରେ ଏହାକୁ ଦର୍ଶକଙ୍କ ଭଲପାଇବା ମିଳୁଥିବା ଦେଖାଯାଇଛି। ଏହି ନୂଆ ଯୋଡିଙ୍କୁ ଦର୍ଶକ ପସନ୍ଦ କରୁଥିବା ବେଳେ ଫିଲ୍ମର କାହାଣୀ ମଧ୍ୟ ମଜାଦାର ରହିଛି। ଫିଲ୍ମ 'ଏ ଜବାନୀ ହେ ଦିୱାନୀ' ପରେ ରଣବୀର କପୁର 'ତୁ ଝୁଟି ମେଁ ମକ୍କାର' ପରି ଏକ ରୋମାଣ୍ଟିକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି।
ତେବେ ଅନେକ ବଲିଉଡ ଫିଲ୍ମ ଫ୍ଲପ ହେଉଥିବା ବେଳେ ରଣବୀର ଏକ ନୂଆ କାହାଣୀ ନେଇ ଆସୁଛନ୍ତି। ଶମଶେରା ଫ୍ଲପ ହେବା ପରେ ଏବେ ଏହି ଫିଲ୍ମର ଅବସ୍ଥା କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ଟ୍ରେଲର ଲଞ୍ଚ ସମୟରେ ରଣବୀର କପୁର ମଜାଳିଆ ଢ଼ଙ୍ଗରେ କହିଛନ୍ତି, ଯଦି ଫିଲ୍ମଟି ଭଲ ବ୍ୟବସାୟ କରେ, ତେବେ ଭଲ କଥା। ନଚେତ୍ ମୁଁ ଭାବିବି ଯେ ଏହା ନିର୍ଦ୍ଦେଶକଙ୍କ ଭୁଲ।
ତେବେ ଟ୍ରେଲର ଲଞ୍ଚ ସମୟରେ ରଣବୀର କପୁରଙ୍କ ବ୍ୟତୀତ ଶ୍ରଦ୍ଧା କପୁର, ଫିଲ୍ମର ନିର୍ଦ୍ଦେଶକ ଲଭ ରଂଜନ, ନିର୍ମାତା ଭୂଷଣ କୁମାର ଏବଂ ହାସ୍ୟ ଅଭିନେତା ଅନୁଭବ ସିଂ ବସ୍ସି ଉପସ୍ଥିତ ଥିଲେ। ଅନୁଭବ ସିଂ ବସ୍ସି 'ତୁ ଝୁଟି ମେଁ ମକ୍କାର' ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦୀ ସିନେମାରେ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ବସ୍ସି ରଣବୀର କପୁରଙ୍କ ବନ୍ଧୁଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି।