‘କାମ ଦେବା ବଦଳରେ କହିଲେ କମ୍ପ୍ରମାଇଜ କର’! ଅଭିନେତ୍ରୀ ସେୟାର କଲେ ଏଜେଣ୍ଟ ସହିତ ଚାଟର ସ୍କ୍ରିନ୍‌ସଟ୍‌

ମୁମ୍ବାଇ: ଟେଲିଭିଜନ୍‌ ଅଭିନେତ୍ରୀ ସୁଲଗ୍ନା ଚାଟାର୍ଜୀ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି ବୋଲି ଗୁରୁବାର ଏକ ଖବର ପ୍ରକାଶ ପାଇଛି। ସୁଲଗ୍ନାଙ୍କ କହିବାନୁସାରେ, ବଲିଉଡ୍‌ରୁ ତାଙ୍କ ପାଖକୁ ଅନେକ ଅଫର ମିଳିଛି, କିନ୍ତୁ କମ୍ପ୍ରମାଇଜ୍‌ କରିବାକୁ କୁହାଯାଇଛି। ତେବେ ଏଭଳି ଜଣେ ଏଜେଣ୍ଟ ନିକଟରେ ତାଙ୍କ ସହିତ ହ୍ଵାଟସ୍‌ ଆପ୍‌ରେ କଥାବାର୍ତ୍ତା ହୋଇଥିଲା। ଯାହାର ଏକ ସ୍କ୍ରିନ୍‌ସଟ୍‌ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

ସୁଲଗ୍ନାଙ୍କ ଏହି ବୟାନ ପରେ ପୁଣିଥିରେ ବଲିଉଡ ଓ ଟେଲିଭିଜନ୍‌ରେ କାଷ୍ଟିଂ କାଉଚ୍‌କୁ ନେଇ ଚର୍ଚ୍ଚା ଚାଲିଛି। ସୁଲଗ୍ନା ‘ସୌଭାଗ୍ୟବତୀ ଭବଃ’, ‘ସଂସ୍କାର-ଧରୋହର ଅପ୍‌ନୋ କି’ ଓ ‘ମହାଦେବ’ ଭଳି ଟେଲି ଧାରାବାହିକରେ କାମ କରିଥିଲେ।

ସୁଲଗ୍ନାଙ୍କୁ ଏ ସମ୍ପର୍କରେ ପଚରା ଯିବାରୁ ସେ କହିଥିଲେ, ‘ମୁଁ ଏମିତି ହିଁ ଚାଟ୍‌ର ସ୍କ୍ରିନ୍‌ସଟ୍‌ ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଛି। ଏହା ଜରିଆରେ ମୁଁ କୌଣସି ପବ୍ଲିସିଟି ଚାହୁଁ ନାହିଁ। ଯେଉଁ ବ୍ୟକ୍ତି ଜଣକ ମୋତେ ମେସେଜ କରିଛନ୍ତି ମୁଁ ତାଙ୍କୁ କାମ ସମ୍ପର୍କରେ କଥା ହେବା ପାଇଁ ନମ୍ବର ଦେଇଥିଲି। ଏକଦା ସେ ମୋତେ ହଠାତ୍‌ ମେସେଜ କରି ଏକ ବିଜ୍ଞାପନର ଅଫର ଦେଇଥିଲେ। ସେହି ବିଜ୍ଞାପନଟିରେ ବଲିଉଡ୍‌ର ‘ଏ’ ତାଲିକାର କେହି ଜଣେ ଅଭିନେତାଙ୍କ ସହିତ ମୋର ସୁଟିଂ ହେବାର ଅଛି ବୋଲି କହିଥିଲେ। ମୁଁ ବି ଏହି ଅଫର ପାଇ ଖୁସି ହୋଇଯାଇଥିଲି। ଏଜେଣ୍ଟ ଜଣକ କହିଥିଲେ ଏହି ସୁଟିଂ ଗୋଟିଏ ଦିନ ପାଇଁ ଚାଲିବ। ଏହାପରେ ମୁଁ ଭାବିଲି ବୋଧ ହୁଏ ସେ ମୋତେ ଲୁକ୍‌ ଟେଷ୍ଟ ପାଇଁ ଡାକିବେ । କିନ୍ତୁ ସେ ମୋତେ କମ୍ପ୍ରମାଇଜର କଥା କହିଥିଲେ। ସେ ମୋତେ ବାରମ୍ବାର ପଚାରିବାରେ ଲଗିଥିଲେ କି କ’ଣ ମୁଁ କେବେ କମ୍ପ୍ରମାଇଜ ପ୍ରୋଜେକ୍ଟରେ କାମ କରିଛି? ତେବେ ଆପଣଙ୍କୁ ଜଣାଇ ରଖିବାକୁ ଚାହୁଁଛି ଏଭଳି ମେସେଜ ମୋତେ ଏହି ଦୁଷ୍ଟଶ୍ରେଣୀର ଏଜେଣ୍ଟଙ୍କ ପାଖରୁ ହିଁ ଆସିଛି। ଆଜି ପର୍ଯ୍ୟନ୍ତ କୌଣସି ନିର୍ମାତା ବା ପ୍ରଯୋଜକ ମୋତେ ଏଭଳି କଥା କହି ନାହାନ୍ତି।

ସମ୍ବନ୍ଧିତ ଖବର