ଚରିତ୍ରକୁ ନିଖୁଣ ଭାବରେ ନିର୍ବାହ କରି ଦର୍ଶକଙ୍କ ମନ ଜିଣୁଛନ୍ତି ମୀରା

କଥାରେ କହନ୍ତି, ଚାହୁଥିବା କଥା ଯଦି ମିଳୁନି, ଯାହା ମିଳୁଛି ସେଥିରେ ସନ୍ତୁଷ୍ଟ ହେବା ବୁଦ୍ଧିମାନର କାମ। ଏହି ଆପ୍ତବାକ୍ୟକୁ ଟିଭି ନାୟିକା ମୀରା ଦେଓସ୍ତାଲେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ମୁଖ୍ୟତଃ ଟିଭି ପରଦାରେ ଅଭିନୟ ଜୀବନ ଆରମ୍ଭ କରିଥିବା ମୀରା ସିନେ ଜଗତ୍‌ରେ ମୁହଁ‌ ଦେଖାଇବାର ଉଚ୍ଚାଭିଳାଷ କେବେ କରିନାହାନ୍ତି। ବରଂ ସେହି ଟିଭି ଧାରାବାହିକରେ ମିଳୁଥିବା ଚରିତ୍ରକୁ ନିଖୁଣ ଭାବରେ ନିର୍ବାହ କରି ସେ ଆତ୍ମତୃପ୍ତି ଲାଭ କରି ପାରୁଥିବା ଦାବି କରିଛନ୍ତି। ମାତ୍ର ଛଅ ବର୍ଷର ଅଭିନୟ ଜୀବନ ଭିତରେ ନଅଟି ଧାରାବାହିକରେ ପ୍ରମୁଖ ଭୂମିକା ଓ ପନ୍ଦରଟି ଧାରାବାହିକରେ ସ୍ବତନ୍ତ୍ର/ଅତିଥି ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ମୀରା ନିଜର ଦକ୍ଷତା ପାଇଁ ଦୁଇ ଦୁଇ ଥର ଜାତୀୟ ସ୍ତରୀୟ ପୁରସ୍କାର ପାଇଁ ସୁପାରିସ ହୋଇଛନ୍ତି। ମହାମାରୀ କୋଭିଡ୍‌-୧୯ ଆବିର୍ଭାବ ବେଳେ ଦୀର୍ଘ ଦୁଇ ବର୍ଷ କାଳ ଅଭିନୟ ଦୁନିଆରୁ ଦୂରେଇ ରହିଥିଲେ ହେଁ ଚଳିତବର୍ଷ ପୁଣି ସେ ଲେଉଟି ନିଜର କରିଶ୍ମା ପରଷି ଚାଲିଛନ୍ତି।

ଗୁଜରାଟର ବଦୋଦରାରେ ୧୯୯୫ ନଭେମ୍ବର ୧୬ରେ ଜନ୍ମିତ ମୀରା ସ୍କୁଲ୍‌ରେ ପଢ଼ିଲା ବେଳେ ଜଣେ ରାଜ୍ୟସ୍ତରୀୟ ବାସ୍କେଟ ବଲ୍‌ ଖେଳାଳି ଥିଲେ। ତେଣୁ ଖେଳ ପ୍ରତି ହିଁ ସେ ଏବଂ ତାଙ୍କ ପରିବାର ବେଶୀ ଧ୍ୟାନ ଦେଉଥିଲେ। ମାତ୍ର ମହାବିଦ୍ୟାଳୟରେ ପଢ଼ିଲା ବେଳେ ତାଙ୍କର ଗ୍ଲାମର ଦୁନିଆ ପ୍ରତି ଏକ ଅହେତୁକ ଆକର୍ଷଣ ବଢ଼ିବାକୁ ଲାଗିଥିଲା ଏବଂ ନିଜକୁ ଜଣେ ଅଭିନେତ୍ରୀ ଭାବେ ପ୍ରତିପାଦନ କରିବା ଲାଗି ସେ ମନ ବଳାଇଥିଲେ। ତେଣୁ ସେ ନିଜ ମାଆଙ୍କ ସହ ଜନ୍ମ ସହର ବଦୋଦରା ଛାଡ଼ି ମୁମ୍ବାଇ ଚାଲି ଆସିଥିଲେ। ସୌଭାଗ୍ୟକୁ କଲର୍ସ ଟିଭିର ଲୋକପ୍ରିୟ ଧାରାବାହିକ ‘ଶଶୁରାଲ୍‌ ସିମର କା’ରେ ପ୍ରଥମ ପଦାର୍ପଣ ସ୍ବରୂପ ତାଙ୍କୁ ପାର୍ଶ୍ବନାୟିକା ପ୍ରିୟା ଭୂମିକା ମିଳିଥିଲା। ସେଥିରେ ମିଳିଥିବା ଆଶାନୁରୂପ ସଫଳତା ତାଙ୍କୁ ପରବର୍ତ୍ତୀ ପ୍ରକଳ୍ପ ‘ଦିଲ୍ଲୀଵାଲୀ ଠାକୁର ଗର୍ଲସ’ ଓ ‘ଜିନ୍ଦଗୀ ଵିନ୍‌ସ’ରେ ମନଲାଖି ଚରିତ୍ର ପାଇବା ପାଇଁ ଖୋରାକ ଯୋଗାଇଥିଲା। ଏଥିରେ ପ୍ରଦର୍ଶିତ ବଳିଷ୍ଠ ଅଭିନୟ ତାଙ୍କୁ ୨୦୧୬ରୁ ୨୦୨୦ ଯାଏ କଲର୍ସ ଟିଭିରେ ପ୍ରସାରିତ ‘ଉଡ଼ାନ’ ଧାରାବାହିକରେ ମୁଖ୍ୟ ନାୟିକା ହେବାର ସୌଭାଗ୍ୟ ଜୁଟାଇଥିଲା। ଏହା ହିଁ ତାଙ୍କୁ ଘରେ ଘରେ ପରିଚିତ କରାଇବା ସହ ଆଶାନୁରୂପ ଯଶ ଓ ପ୍ରତିଷ୍ଠା ଦେଇଥିଲା।

ସେଥିପାଇଁ ତାଙ୍କୁ ସବୁଠୁ ଉପଯୁକ୍ତ କଳାକାର ଭାବେ ଏବଂ ଶ୍ରେଷ୍ଠ ନାୟିକା ଭାବେ ଗୋଲ୍‌ଡ ସମ୍ମାନ-୨୦୧୮ ପାଇଁ ସୁପାରିସ କରାଯାଇଥିଲା। କୋଭିଡ୍‌ ବେଳେ ଦୁଇ ବର୍ଷ କାଳ ଅଭିନୟ ଦୁନିଆରୁ ସଂପୂର୍ଣ୍ଣ ଦୂରେଇ ରହିବା ପରେ ଚଳିତବର୍ଷ ସେ ‘ଗୁଡ଼ ସେ ମିଠା ଇସ୍କ’ରେ ଦେଖାଦେଇ ପ୍ରଶଂସକମାନଙ୍କ ଆଶା ପୂରଣ କରିଛନ୍ତି। ଏହି ଅବସରରେ ‘ବାଳିକା ବଧୂ’, ‘ଇସ୍କ ମେଁ ମରଜାଵାଁ’, ‘ଛୋଟି ସର୍ଦ୍ଦାରିଣୀ’ ଓ ‘ବାନୁ ବେଗମ୍‌’ ପରି ଧାରାବାହିକରେ ସଂକ୍ଷିପ୍ତ ଭୂମିକା ସମେତ ‘ରାତ୍ରି କେ ଯାତ୍ରୀ’ ପରି ୱେବ୍‌ ଧାରାବାହିକ ଓ ‘ଝୁଟି ଝୁଟି ବତିୟାଁ’ ପରି ସଂଗୀତଭିତ୍ତିକ ଭିଡିଓରେ ମଧ୍ୟ ଅଭିନୟ କରି ସେ ସମର୍ଥକମାନଙ୍କୁ ଆପ୍ୟାୟିତ କରିଛନ୍ତି। ତେବେ ସର୍ବୋପରି ଏହି ଟିଭି ପରଦା ହିଁ ତାଙ୍କୁ ପରମ ତୃପ୍ତି ଦେଇ ଚାଲିଛି ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର