ଟିଭି ଅଭିନେତ୍ରୀ, ଆଶା ଅସୁମାରି

ଟିଭି ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ର ରିଆ ମେହେରା ଚରିତ୍ର ଏବଂ ‘କଷୌଟି ଜିନ୍ଦଗି କେ’ର ନିବେଦିତା ବାସୁ ଭୂମିକା ପାଇଁ ଘରେ ଘରେ ପରିଚିତ ଅଭିନେତ୍ରୀ ପୂଜା ବାନାର୍ଜୀ ପୁଣି ଥରେ ଧାରାବାହିକ ଦୁନିଆକୁ ଜୋରଦାର ଲେଉଟାଣି କରିଛନ୍ତି। ବର୍ଷକ ତଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲା ପରେ ସେ ସଂପୂର୍ଣ୍ଣ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ଆଗାମୀ ଧାରାବାହିକ ‘ବଡ଼େ ଅଛେ ଲଗତେ ହେଁ-୨’ରେ ପିହୁ ଭୂମିକାରେ ତାଙ୍କର ପ୍ରତ୍ୟାବର୍ତ୍ତନକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ଦୁର୍ମୂଲ୍ୟ ମାତୃତ୍ବର ନିଆରା ପୁଲକ ତାଙ୍କୁ ଅଧିକ ସଶକ୍ତ କରିପାରିଛି ଏବଂ ତାଙ୍କ ଅଭିନୟ ଜୀବନ ମଧ୍ୟ ଆହୁରି ଉଚ୍ଚକୋଟୀର ହେବ ବୋଲି ସେ ଆଶାବାଦୀ ରହିଛନ୍ତି। ଉତ୍ତରପ୍ରଦେଶର ଆଲିଗଡ଼ରେ ୧୯୯୧ ନଭେମ୍ବର ୮ ତାରିଖରେ ଜନ୍ମିତା ପୂଜା ୨୦୧୧ରେ ‘ଏମ୍‌ଟିଭି ରୋଡିଜ୍‌ ସିଜନ ୮’ରେ ଜଣେ ପ୍ରତିଯୋଗୀ ଭାବେ ନିଜର ଟେଲିଭିଜନ କ୍ୟାରିଅର୍ ଆରମ୍ଭ କରିଥିଲେ। ତେବେ ତହିଁ ପରବର୍ଷ ତାଙ୍କର ଅସଲ ଅଭିନୟ ଦେଖିବାକୁ ମିଳିଥିଲା ଷ୍ଟାର ପ୍ଳସ୍‌ର ଧାରାବାହିକ ‘ଏକ ଦୁସରେ ସେ କରତେ ହେଁ ପ୍ୟାର ହମ୍‌’ରେ। ସେ ନିର୍ବାହ କରିଥିବା ‘ତେଜା ମଜୁଦାର’ ଭୂମିକାକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ।

ଏହାପରେ ‘ଦି ଆଡଭେଞ୍ଚର ଅଫ୍‌ ହାତିମ’, ‘ଘର ଆୟା ପରଦେଶୀ’ ଓ ‘ନାଗାର୍ଜୁନ’ ଆଦି ଧାରାବାହିକରେ ସେ ନିଜର ସ୍ଥିତିକୁ ବଜାୟ ରଖିପାରିଥିଲେ। ତେବେ ଏକତା କପୂରଙ୍କ ‘ଚନ୍ଦ୍ରକାନ୍ତା’, ‘ଚନ୍ଦ୍ର ନନ୍ଦିନୀ’ ଓ ‘ଦିଲ୍‌ ହି ତୋ ହୈ’ ଆଦି ଧାରାବାହିକରେ ତାଙ୍କୁ ଯଦିଓ ପାର୍ଶ୍ବନାୟିକା ଭୂମିକାମାନ ମିଳିଥିଲା, ତଥାପି ସେଗୁଡ଼ିକ ତାଙ୍କୁ ଯଥେଷ୍ଟ ଲୋକପ୍ରିୟ କରାଇବାରେ ସହାୟକ ହୋଇଥିଲା। ସର୍ବୋପରି ୨୦୧୮ରୁ ୨୦୨୦ ଯାଏ ପ୍ରସାରିତ ‘କଷୌଟି ଜିନ୍ଦଗି କେ’ ଓ ୨୦୨୦ରୁ ଗତ ବର୍ଷ ଯାଏ ପ୍ରସାରିତ ‘କୁମ୍‌କୁମ୍‌ ଭାଗ୍ୟ’ ଧାରାବାହିକ ପୂଜାଙ୍କୁ ଜଣେ ଲବ୍‌ଧପ୍ରତିଷ୍ଠିତ ଅଭିନେତ୍ରୀର ମାନ୍ୟତା ଆଣିଦେଇଥିଲା। ଯଦିଓ ଏ ଯାବତ୍‌ ତାଙ୍କୁ କୌଣସି ସିନେମାରେ ସୁଯୋଗ ମିଳିନାହିଁ କିମ୍ବା ମନଲାଗି ଚରିତ୍ର ମିଳିନାହିଁ, ତେବେ ଟିଭି ଧାରାବାହିକ ହିଁ ତାଙ୍କ ଜୀବନକୁ ସାର୍ଥକ କରିପାରିଛି ବୋଲି ସେ ସ୍ବୀକାର କରନ୍ତି। ସେହିପରି ‘କେହନେ କୋ ହମସଫର ହେଁ’, ‘ଓନ୍‌ଲି ଫର ସିଙ୍ଗଲସ’ ଓ ‘ଦି କ୍ୟାସିନୋ’ ଆଦି ୱେବ୍‌ ଧାରାବାହିକରେ ମଧ୍ୟ ପୂଜାଙ୍କ ଉପସ୍ଥିତି ସ୍ପଷ୍ଟ ବାରି ହୋଇ ପଡ଼ିଛି। ତେବେ ମାତୃତ୍ବ ଲାଭ ପରେ ଅଭିନୟ କ୍ଷେତ୍ରକୁ ତାଙ୍କର ପୁନଃପ୍ରବେଶ କିଭଳି ରହୁଛି, ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର