ମୁମ୍ବାଇ : ପ୍ରଥମେ ଷ୍ଟାରପ୍ଲସ୍ରେ ପ୍ରସାରିତ ଧାରାବାହିକ ଏବଂ ପରେ ଭାରତର ସବୁଠାରୁ ବଡ଼ ରିୟାଲିଟି ଶୋ ବିଗ୍ବସ୍ରେ ଅଂଶ ଗ୍ରହଣ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ହିନା ଖାନ୍ । ଏବେ ପୁଣି ସେ ନିଜ ସୋସିଆଲ ଆକାଉଣ୍ଟକୁ ବନ୍ଦ କରିବାର ଧମକ ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ତଳେ ସେ ନିଜ ପୋଷାକକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହୋଇଥିଲେ । କିଛି ଲୋକ ତାଙ୍କୁ ପୋଷାକ ପିନ୍ଧିବାର ଶୈଳୀ ଜଣା ନାହିଁ ବୋଲି କହିଥିଲେ । ବାରମ୍ବାର ଟ୍ରୋଲ ହେଉଥିବା ହେତୁ ସେ ନିଜର ସୋସିଆଲ ଆକାଉଣ୍ଟ ବନ୍ଦ କରିଦେବେ ବୋଲି କହିଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ।
ଯାହା ଏବେ ଭାଇରାଲ ହେବାରେ ଲାଗିଛି । ନିଜ ପୋଷାକ ପାଇଁ ସବୁବେଳେ ଟ୍ରୋଲ ହେଉଥିବାରୁ ହିନା ଏପରି ନ କରିବା ପାଇଁ ତାଙ୍କ ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି । ଯଦି ଆଗକୁ ଏପରି ହୁଏ ତେବେ ସେ ସୋସିଆଲ ଆକାଉଣ୍ଟ ବନ୍ଦ କରିଦେବେ ବୋଲି କହିଛନ୍ତି ।
ସୂଚନା ମୁତାବକ, ପ୍ରତିଯୋଗୀ ଶିଲ୍ପା ସିନ୍ଦେଙ୍କ ସହ ତାଙ୍କ ଝଗଡ଼ା ବିଗ୍ବସ୍ର ଟିଆର୍ପି ବଢ଼ାଇବା ସହ ଦର୍ଶକମାନେ ତାଙ୍କୁ ଭିଲେନ୍ର ଆଖ୍ୟା ଦେଇଥିଲେ । ଶୋ’ର ହୋଷ୍ଟ ସଲମାନ ଖାନ୍ ଏବଂ ତାଙ୍କ ସହ ପ୍ରତିଯୋଗୀମାନଙ୍କ ସହ ତାଙ୍କର ଭଲ ପଡ଼ୁ ନ ଥିବା ବେଳେ ସେ ଏକା ଏକା ଶୋରେ ଅଟଳ ରହିବା ସହ ଶେଷ ପର୍ଯ୍ୟନ୍ତ ଖେଳିଥିଲେ । କିନ୍ତୁ ଧାରାବାହିକରେ ଥିବା ତାଙ୍କର ସରଳ ଭାବମୂର୍ତ୍ତିକୁ ସେ ପୂରା ବଦଳାଇ ନିଜର ଏକ ନୂଆ ପରିଚୟ ତିଆରି କରିଥିଲେ । ସୁନା ବୋହୂ ଭାବୁଥିବା ଲୋକ ତାଙ୍କୁ ଭିଲେନ୍ ଭାବିବା ଆରମ୍ଭ କରିଥିଲେ । କିଛି ଦିନ ବିଗ୍ ବସ୍ ହାଉସ୍ ଭିତରେ ଏତେ ନକାରତ୍ମକ ଭାବନା ଭରିବା ପରେ ସେ ଏବେ ଇନ୍ଷ୍ଟାଗ୍ରାମରେ ଏକ ଭିଡ଼ିଓ ଅପ୍ଲୋଡ଼ କରି ଲୋକମାନଙ୍କ ମନରେ ନକାରତ୍ମକ ଭାବନା ନ ଆଣିବା ପାଇଁ ମନା କରିଛନ୍ତି ।
ତଥାପି ମଧ୍ୟ ହିନାଙ୍କ ଏହି ଭିଡ଼ିଓ ଅପ୍ଲୋଡ଼ ପରେ ଲୋକମାନେ ତାଙ୍କୁ ପୁଣି ସମାଲୋଚନା କରିଥିବା ଦେଖାଯାଇଛି । ଅନ୍ୟକୁ କହିବା ପୂର୍ବରୁ ପ୍ରଥମେ ନିଜକୁ ଦେଖ । ନିଜ ମନରେ ଏତେ ନକରାତ୍ମକ ଭାବନା ରହି ମଧ୍ୟ ଅନ୍ୟକୁ କିପରି କହୁଛ ବୋଲି ଲୋକେ କହି ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି ।