ଫିଲ୍ମ ଦୁନିଆ ଏମିତି ଏକ ପରିସର ଯେଉଁଠି ଜଣେ କଳାକାର ପଛରେ ନିର୍ଦ୍ଦିଷ୍ଟ ଛାପ ବାଜିଗଲେ, ତାହା ବଦଳାଇବା ଭାରି କଷ୍ଟକର। ତାହାର କିଛି ସକାରାତ୍ମକ ପରିଣାମ ଥାଇପାରେ। ମାତ୍ର ଟିଭି ଅଭିନେତ୍ରୀ ସୋନାରିକା ଭଦୋରିଆ ସେଭଳି ଛାପର ବିପରୀତ ପରିଣାମ ଭୋଗୁଛନ୍ତି। ପୌରାଣିକ ଧାରାବାହିକ ‘ଦେବୋଁ କି ଦେବ ମହାଦେବ’ରେ ଆଦିଶକ୍ତି ମା’ ପାର୍ବତୀ ଭୂମିକାକୁ ସେ ଏପରି ନିଖୁଣ ଭାବରେ ନିଭାଇଥିଲେ ଯେ ତାଙ୍କୁ ଦର୍ଶକେ ଆଉ ଅନ୍ୟ କୌଣସି ରୋଚକ କାମିନୀ ଭୂମିକାରେ ଦେଖିବାକୁ ଚାହୁନାହାନ୍ତି। ଫଳରେ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାଦୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା ସୋନାରିକା ବହୁ ପଛରେ ପଡ଼ିଯାଇଛନ୍ତି। ମାତ୍ର କେଇଟି ହାତଗଣତି ଫିଲ୍ମରେ ନିଜକୁ ସୀମିତ ରଖି ସେ ଏବେ ବିଭିନ୍ନ ଟିଭି ଧାରାବାହିକରେ ନିଜର ଅଭିନୟ କରିସ୍ମା ପରଷିବାକୁ ବାଧ୍ୟ ହୋଇଛନ୍ତି। ମୁମ୍ବାଇର ଏକ ରକ୍ଷଣଶୀଳ ରାଜପୁତ ପରିବାରରେ ୧୯୯୨ ଡିସେମ୍ବର ୩ରେ ଜନ୍ମିତ ସୋନାରିକା ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

Advertisment

ଗୃହିଣୀ ମାଆଙ୍କ ସହ ଟିଭି ଦେଖୁ ଦେଖୁ ପିଲାଟି ବେଳୁ ତାଙ୍କ ମନରେ ଅଭିନୟ ପ୍ରତି ଏକ ଅହେତୁକ ରୁଚି ବସା ବାନ୍ଧି ରହିଥିଲା। ତେବେ ତାଙ୍କର ମନୋସ୍କାମନା ପୂରଣ ହୋଇଥିଲା ୨୦୧୧ରେ ଯେତେବେଳେ ସଂଯୋଗବଶତଃ ଲାଇଫ୍‌ ଓକେ’ ଦ୍ବାରା ପ୍ରଯୋଜିତ ଟିଭି ଧାରାବାହିକ ‘ତୁମ୍‌ ଦେନା ସାଥ୍‌ ମେରା’ରେ ତାଙ୍କୁ ଅଭିଳାଷା ଚରିତ୍ରରେ ଅବତୀର୍ଣ୍ଣ ହେବାକୁ କୁହାଯାଇଥିଲା। ସେହି ସଂକ୍ଷିପ୍ତ ଅଭିନୟ ହିଁ ତାଙ୍କୁ ଅତିମାତ୍ରାରେ ସନ୍ତୁଷ୍ଟ ଓ ଉତ୍ସାହିତ କରିଥିଲା। ଏହାପରେ ୨୦୧୨ରେ ‘ଦେବୋଁ କେ ଦେବ ମହାଦେବ’ରେ ତାଙ୍କର ପାର୍ବତୀ ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହୋଇଗଲେ। ତେବେ ନିଜର ଗୋପନ ସ୍ବପ୍ନକୁ ସାକାର କରିବା ପାଇଁ ସେ ୨୦୧୫ରେ ତେଲୁଗୁ ସିନେମା ‘ଜାଦୁଗାଦୁ’ରେ ପ୍ରଥମ ପଦାର୍ପଣ ପୂର୍ବକ ଦର୍ଶକଙ୍କ ମନରେ ଉତ୍ତେଜନା ଭରିବାକୁ ଚେଷ୍ଟା କରିଥିଲେ। ସେହିପରି ୨୦୧୬ରେ ପରବର୍ତ୍ତୀ ତେଲୁଗୁ ସିନେମା ‘ସ୍ପିଦୁନୁଦୁ’ ଓ ‘ଇଦୁ ରକମ୍‌ ଆଦୁ ରକମ୍‌’ ସମେତ ୨୦୧୭ରେ ତାମିଲ ସିନେମା ‘ଇନ୍ଦ୍ରଜିତ’ରେ ମଧ୍ୟ ଅନୁରୂପ ପ୍ରୟାସ କରି ସେଭଳି ସଫଳ ହୋଇନଥିଲେ।

ଅପରପକ୍ଷେ, ତାଙ୍କର ପ୍ରଥମ ହିନ୍ଦୀ ସିନେମା ‘ସାସେଁ’ ମଧ୍ୟ ପ୍ରଶଂସକମାନଙ୍କୁ ମତୁଆଲା କରିପାରିନଥିଲା। ଅବଶ୍ୟ ଦର୍ଶକଙ୍କ ମନରେ ଆଶାନୁରୂପ ସ୍ପନ୍ଦନ ଭରି ନପାରିବା ପାଇଁ ତାଙ୍କର ପୌରାଣିକ ଚରିତ୍ରକୁ ସେ ଦାୟୀ କରିଛନ୍ତି। ଶେଷରେ ସେ ସିନେମା ମୋହ ଛାଡ଼ି ଏବେ ଟିଭି ଧାବାହିକରେ ହିଁ ମନୋନିବେଶ କରିଛନ୍ତି। ଏବେ କଲର୍ସ ଟିଭିର ‘ଇସ୍କ ମେଁ ମରଯାଵାଁ’ରେ ଭିନ୍ନ ଚରିତ୍ର ଆପଣେଇ ସେ ପୁଣି ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଆଗକୁ ଅଭିନୟର ଦୀର୍ଘ ପରିସର ଆହ୍ବାନ ସାଜିଥିବା ବେଳେ ସେ ନିଜର ସ୍ବପ୍ନର କିପରି ସାର୍ଥକତା ଆଣିପାରୁଛନ୍ତି ତାହା ସମୟ ହିଁ କହିବ।