ମୁମ୍ବାଇ: ମହାରାଷ୍ଟ୍ରର ନାଇଗାଓଁରେ ଏକ ଟିଭି ସୋ ଚାଲିଥିବାବେଳେ ଶନିବାର ଅଭିନେତ୍ରୀ ତୁନିଶା ଶର୍ମା ମେକଅପ ରୁମକୁ ଯାଇ ବେକରେ ଫାଶ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ମହାରାଷ୍ଟ୍ରର ୱାଲିଭ ପୁଲିସ କହିଛି। କିଛି ଦିନ ହେଲା ସେ ଟିଭି ସୋକୁ ଆସୁଥିଲେ ବି ଟେନସନରେ ଥିଲେ। ଏହି ୨୦ ବର୍ଷିୟା ଅଭିନେତ୍ରୀ ତୁନିସା କାଟ୍ରିନା କୈଫଙ୍କ ସହ ଫିତୁର ଓ ଦିବ୍ୟାବଲାନଙ୍କ ସହ କାହାନୀ -୨ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିସହିତ ଭାରତ କା ବୀରପୁତ୍ର – ମହାରଣା ପ୍ରତାପ, ଚକ୍ରବର୍ତ୍ତି ଅଶୋକ ସମ୍ରାଟ, ଗବର ପୁଞ୍ଚୱାଲା, ସେର – ଇ – ପଞ୍ଜାବ: ମହାରାଜା ରଂଜିତ ସିଂ, ଇଣ୍ଟରନେଟ ୱାଲା ଲଭ, ଇସ୍କ ଶୁଭ ଆଲ୍ଲା ଭଳି ଟିଭି ସୋରେ ଅଭିନୟ କରିଥିବାବେଳେ ତାଙ୍କ ଶେଷ ଟିଭି ଚଳଚ୍ଚିତ୍ର ଥିଲା ଆଲି ବାବା: ଦସ୍ତାନ – ଇ- କାବୁଲ। ଏଥିରେ ସେ ସେହଜାଦି ମାରିଆମ ଚରିତ୍ରରେ ଅଭିନୟ କରୁଥିଲେ।
ସେ ଜଣେ ଲୋକପ୍ରିୟ ଟିଭି ଅଭିନେତ୍ରୀ ଥିଲେ। ଏକ ସୂତ୍ରରୁ ଜଣାପଡିଛି ଯେ, ସେ ତାଙ୍କ ସହ ଅଭିନେତା ସେଜାନ ମହମ୍ମଦ ଖାନଙ୍କ ସହ ମେକଅପ ରୁମରେ ଥିଲେ। ତେବେ ସେଜାନ ସୁଟିଂ ସେଟରୁ ଆସି ମେକଅପ ରୁମ୍କୁ ଫେରି ଦେଖନ୍ତିତ ରୁମ୍ କବାଟ ବନ୍ଦ ଥିଲା। ବାରମ୍ବାର ଡାକିବା ପରେ କବାଟ ଖୋଲି ନଥିଲେ। ତେବେ କବାଟ ଭାଙ୍ଗି ଦେଖିବା ବେଳକୁ ତୁନିସା ଫ୍ୟାନରେ ଝୁଲି ପଡ଼ିଥିଲେ। ୱାଲିଭ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ନାଲାସୋପ୍ରା ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଡିସିପି ଚନ୍ଦ୍ରକାନ୍ତ ଯାଦବ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ଘଟିବା ସମୟରେ ଏହି ଟିଭି ସୁଟିଂ ସେଟରେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା ଜାରି ରହିଛି। ତୁନିସାଙ୍କ ମା’ଙ୍କୁ ବି ପଚରାଯାଇଛି। ସେ ଆଲିବାବାର ସହ ଅଭିନେତା ସେଜାନ ମହମ୍ମଦ ଖାନଙ୍କୁ ନିନ୍ଦା କରିଛନ୍ତି। ସେଜାନ ଓ ତୁନିସାଙ୍କ ମଧ୍ୟରେ ସମ୍ପର୍କ ଥିଲା। ତେବେ ତୁନିସା ଗର୍ଭବତୀ ଥିବା ଯେଉଁ ଅଭିଯୋଗ ଆସିଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟହେବ। ତୁନିସାଙ୍କୁ ମାରି ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ ହେବାରୁ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ବୋଲି ୱାଲିଭ ପୁଲିସ କହିଛି।