ଧାରାବାହିକର ଧାରାରେ ଧରା

ମନୋରଂଜନ ଦୁନିଆର ସ୍ବର୍ଗ କହିଲେ ସାଧାରଣତଃ ସିନେମା ମଞ୍ଚକୁ ବୁଝାଯାଇଥାଏ। ଏଥିରେ ପାଦ ଥାପିବାକୁ ଥରେ ସୁଯୋଗ ମିଳିଗଲେ କୌଣସି କଳାକାର ଆଉ ଅନ୍ୟତ୍ର ଯିବାକୁ ପସନ୍ଦ କରିନଥା’ନ୍ତି। ମାତ୍ର ସେଠାରେ ନିଜକୁ ଧରି ରଖିବା ସହ ଦର୍ଶକମାନଙ୍କୁ ବାନ୍ଧିରଖିବାର ସୌଭାଗ୍ୟ ସମସ୍ତଙ୍କୁ ଜୁଟିନଥାଏ। ଅନେକ କଳାକାର ମଧ୍ୟ ନିଜର ଅଭିଳାଷ ପୂରଣ ପାଇଁ କିଛି ସିନେମାରେ କେବଳ ମୁହଁ ଦେଖାଇ ଟିଭି ପରଦାରୁ ହିଁ ଶାଶ୍ବତ ସୁଖ ଲାଭ କରିଥା’ନ୍ତି। ଟିଭି ଅଭିନେତ୍ରୀ ବର୍ଖା ବିଷ୍ଟ୍‌ ହେଉଛନ୍ତି ସେଭଳି ଜଣେ କଳାକାର ଯାହାଙ୍କୁ ସଂକ୍ଷିପ୍ତ ଭୂମିକା ହେଉ ପଛକେ ଆଠରୁ ଦଶଟି ହିନ୍ଦୀ ଓ ବଙ୍ଗାଳୀ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଛି। ମାତ୍ର ନା ସେଥିରେ ସେ କିଛି ଅଲିଭା ଛାପ ଛାଡ଼ିଯାଇଛନ୍ତି ନା ନିଜକୁ ସନ୍ତୁଷ୍ଟ କରିପାରିଛନ୍ତି! ଅପରପକ୍ଷେ, ତିରିଶିରୁ ଅଧିକ ଟିଭି ଧାରାବାରିକରେ ନିଜ ଅଭିନୟର ଯାଦୁ ପରଶି ପ୍ରଶଂସକମାନଙ୍କୁ ଆଶାନୁରୂପ ଆପ୍ୟାୟିତ କରିବାରେ ସେ ସକ୍ଷମ ହୋଇଛନ୍ତି। ହରିଆଣାର ହିସାର ଠାରେ ୧୯୭୯ ଡିସେମ୍ବର ୨୯ ତାରିଖରେ ଏକ ଗଡ଼ଵାଲୀ ପରିବାରରେ ଜନ୍ମିତ ବର୍ଖାଙ୍କର ପିତା ଡେରାଡୁନ୍‌ର ମୂଳ ବାସିନ୍ଦା ହେଲେ ହେଁ ସେ ଜଣେ ସେନାଧିକାରୀ ଥିବାରୁ ବର୍ଖାଙ୍କର ଆଦ୍ୟ ଜୀବନ ବିଭିନ୍ନ ସ୍ଥାନରେ ବିତିଥିଲା।

କୋଲକାତାର ଫୋର୍ଟ ଵିଲିଅମ୍‌ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍‌ ଓ ପୁଣେର ସିମ୍ବାୟୋସିସ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ବର୍ଖା ୨୦୦୦ରେ ଏନ୍‌ଡିଏ ରାଣୀ ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ରୁପେଲି ପରଦା ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୦୨ରେ ଯଦିଓ ଟିଭି ଧାରାବାହିକ ‘ସସସସ… କୋଇ ହାଏ’ରେ ଏକ ସଂକ୍ଷିପ୍ତ ଭୂମିକା ମାଧ୍ୟମରେ ସେ ଗ୍ଲାମର ଦୁନିଆରେ ପାଦ ଦେଇଥିଲେ, ତେବେ ୨୦୦୪ର ‘କିତନି ମସ୍ତି ହୈ ଜିନ୍ଦଗି’ ଧାରାବାହିକ ହେଉଛି ତାଙ୍କର ପ୍ରକୃତ ପ୍ରଥମ ପଦାର୍ପଣ। ଏହାପରେ ୨୦୧୦ ଯାଏ ‘କସୌଟି ଜିନ୍ଦଗି କେ’, ‘କାବ୍ୟାଞ୍ଜଳି’, ‘କୈସା ୟେ ପ୍ୟାର ହାଏ’, ‘ପ୍ୟାର କେ ଦୋ ନାମ: ଏକ ରାଧା, ଏକ ଶ୍ୟାମ’, ‘ଡୋଲି ସଜାକେ’, ଓ ‘ସାଜନ ଘର ଜାନା ହୈ’ ପରି ଧାରାବାହିକରେ ବିଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ।

ସେହିପରି ‘୨୦୧୦ର ହିନ୍ଦୀ ଫିଲ୍ମ ‘ରାଜନୀତି’ର ଏକ ଗୀତଦୃଶ୍ୟରେ ପ୍ରଥମ ଓ ଶେଷ ଥର ପାଇଁ ମୁହଁ ଦେଖାଇଥିଲେ। ତେବେ ସେହିବର୍ଷ ବଙ୍ଗାଳୀ ଫିଲ୍ମ ‘ଦୁଇ ପୃଥିବୀ’ରେ ପ୍ରଥମ ପଦାର୍ପଣ କରି ଦର୍ଶକଙ୍କୁ କିଛିମାତ୍ରାରେ ଆକର୍ଷିତ କରିପାରିଥିଲେ। ଏହାପରେ ‘ଆମି ସୁଭାଷ ବୋଲଚି’, ‘ଭିଲେନ୍‌’, ‘ଆକ୍ସନ୍‌’ ଓ ‘ବ୍ଳାକ୍‌’ ପରି ବଙ୍ଗାଳୀ ସିନେମାରେ ଭିନ୍ନ ଭିନ୍ନ ଭୂମିକା ନିଭାଇଥିଲେ ହେଁ ଦର୍ଶକଙ୍କ ମନରେ ସେଭଳି ରେଖାପାତ କରିପାରିନଥିଲେ। ତେବେ ଟିଭି ଧାରାବାହିକ ଗୁଡ଼ିକରେ ତାଙ୍କ ଅଭିନୟକୁ ପ୍ରଶଂସକମାମନେ ଖୁବ୍‌ ଗ୍ରହଣ କରିଥିଲେ। ତେଣୁ ଆଉ ସିନେମା ପ୍ରତି ଅଧିକ ଲାଳାୟିତ ନହୋଇ ସେ ‘ପର୍ବରିଶ-କୁଛ୍‌ ଖଟ୍ଟେ କୁଛ୍‌ ମିଠେ’, ‘ୟେ ହୈ ଆସିକି’, ‘ତୁମ୍‌ ସାଥ୍‌ ହୋ ଅପନେ’, ‘ନାମକରଣ’, ‘ପାର୍ଟନର୍ସ- ଟ୍ରବଲ୍‌ ହୋ ଗୟି ଡବଲ’, ‘ଲାଲ୍‌ ଇସ୍କ’, ଓ ‘ଶ୍ରୀମାନ ଶ୍ରୀମତୀ ଫିର ସେ’ ଆଦି ଧାରାବାହିକରେ ନିଜର ଅସ୍ଥିତ୍ବକୁ ଜାରିର କରି ଚାଲିଲେ। ସେହିପରି ୨୦୧୯ କୋଭିଡ୍‌ ସଂକ୍ରମଣ ବେଳେ ପ୍ରସାରିତ ‘ପରମାବତାର ଶ୍ରୀକୃଷ୍ଣ’ ଧାରାବାହିକରେ ସେ ନିଭାଇଥିବା ଦ୍ରୌପଦୀ ଭୂମିକା ମଧ୍ୟ ବେଶ ଉଚ୍ଚକୋଟୀର ରହିଥିଲା। ସେହିପରି ଗତବର୍ଷ ପ୍ରସାରିତ ‘ସାଦି ମୁବାରକ୍‌’ରେ ତାଙ୍କର ନକାରାତ୍ମକ ନନ୍ଦିନୀ ଭୂମିକାକୁ ମଧ୍ୟ ଦର୍ଶକ ଖୁବ୍‌ ଉପଭୋଗ କରିଥିଲେ।

ଏଥି ସହିତ ୱେବ୍‌ ଧାରାବାହିକ ‘କାମିନୀ’, ‘ଲଭ୍‌ ଆଣ୍ଡ୍‌ ଆଫେୟାର୍ସ’ ଓ ‘ରାତ୍ରି କେ ଯାତ୍ରୀ’ରେ ମଧ୍ୟ ତାଙ୍କ ଭୂମିକା ବେଶ ପ୍ରଶଂସନୀୟ ରହିଛି। ବ୍ୟକ୍ତିଗତ ଜୀବନରେ କୋଲକାତାରେ ରହିବା ବେଳଠାରୁ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ସହ ଉତ୍ତମ ବନ୍ଧୁତା ରଖିଥିବା ବର୍ଖାଙ୍କର ଅଭିନେତା କରଣ ସିଂହ ଗ୍ରୋଭରଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା। ତେବେ ‘ପ୍ୟାର କେ ଦୋ ନାମ: ଏକ ରାଧା, ଏକ ଶ୍ୟାମ’ ଧାରାବାହିକର ସହଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତାଙ୍କ ସହ ବର୍ଖାଙ୍କର ୨୦୦୮ ମାର୍ଚ୍ଚରେ ବିବାହ ହୋଇଥିଲା ଏବଂ ସେ ଏବେ ଏକ ୧୧ ବର୍ଷୀୟା କନ୍ୟାସନ୍ତାନର ଜନନୀ।

ସମ୍ବନ୍ଧିତ ଖବର