ମୁମ୍ବାଇ: ରୋମାଞ୍ଚକର ମୋଡ଼ ନେଇଛି କଲର୍ସରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ 'ବିଗବସ୍-୧୮ ' । ଏବେ ଫ୍ୟାମିଲି ୱିକ୍ ଚାଲିଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକ ସୋ’କୁ ଆସିଥିବା ପ୍ରୋମୋରେ ଦେଖିବାକୁ ମିଳିଛି। ବିଗବସ୍-୧୮ର ପ୍ରତିଯୋଗୀ ଅଭିନାଶ ମିଶ୍ରାଙ୍କ ମା’ ସଙ୍ଗୀତା ମିଶ୍ରା ଘର ଭିତରକୁ ଯାଇ ବାହାରକୁ ଆସିବା ପରେ ଗଣମାଧ୍ୟମୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ସେ ପ୍ରତିଯୋଗୀ ଇଶା ସିଂଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଥିଲେ । ପ୍ରକୃତ ବନ୍ଧୁ କିଏ ତାହା ମଧ୍ୟ ସେ କହିଥିଲେ ।
ସାକ୍ଷାତକାରରେ ସଙ୍ଗୀତା ମିଶ୍ରା କହିଥିଲେ ଯେ, '' 'ୱିକେଣ୍ଡ କା ବାର'ରେ ସଲମାନ ଯାହା କହିଥିଲେ ତାହା ସମ୍ପୂର୍ଣ୍ଣ ଠିକ୍ ଥିଲା । ଯଦି ଇଶା ପ୍ରକୃତରେ ଅଭିନାଶର ପ୍ରକୃତ ବନ୍ଧୁ ହୋଇଥାନ୍ତେ, ତେବେ ଏପରି ପ୍ରଶ୍ନ ଉଠାଇ ନଥାନ୍ତେ । ଇଶା କେବଳ ଅଭିନାଶକୁ ବ୍ୟବହାର କରୁଛନ୍ତି । ଯେତେବେଳେ ଅଭିନାଶଙ୍କୁ ସମର୍ଥନ ଦରକାର ହୁଏ, ତେବେ ଇଶା ତାଙ୍କୁ ଏକୁଟିଆ ଛାଡ଼ି ରଜତ ଦଲାଲଙ୍କ ପାଖକୁ ଚାଲି ଯାଆନ୍ତି । କାଳେ ରଜତ ତାଙ୍କୁ ନୋମିନେସନରୁ ବଞ୍ଚାଇଦେବେ । କିନ୍ତୁ ମୁଁ ଅନୁଭବ କରୁଛି ଯେ ଇଶା ଅଭିନାଶର ପ୍ରକୃତ ବନ୍ଧୁ ନୁହଁନ୍ତି ।''
ଯେତେବେଳେ ସଙ୍ଗୀତାଙ୍କୁ ପଚରାଗଲା ଯେ, ଅଭିନାଶ ଏବଂ ଇଶାଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ନା ଏହାଠାରୁ ଅଧିକ କିଛି ଅଛି । ସଙ୍ଗୀତା ମିଶ୍ରା ସ୍ପଷ୍ଟ ଭାବରେ କହିଥିଲେ, “ଏହା କେବଳ ବନ୍ଧୁତା । ଯଦି ଅଧିକ କିଛି ଥାଆନ୍ତା, ତେବେ ଇଶା, ଅଭିନାଶ ଉପରେ ଏପରି ପ୍ରଶ୍ନ ଉଠାଇ ନଥାନ୍ତେ । ଜଣେ ପ୍ରକୃତ ବନ୍ଧୁ ନିଜ ବନ୍ଧୁଙ୍କୁ ବିଶ୍ୱାସ କରେ । ଏହା ବନ୍ଧୁତା ନୁହେଁ। ଇଶା ନିଶ୍ଚିତ ଭାବରେ ବନ୍ଧୁତା ଠାରୁ ଖେଳକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ”
ଏହାପରେ ତୁରନ୍ତ ସଙ୍ଗୀତା ମିଶ୍ରା ଭିଭିଆନ୍ ଡିସେନାଙ୍କୁ, ଅଭିନାଶର ପ୍ରକୃତ ବନ୍ଧୁ ବୋଲି କହିଥିଲେ । ଏହା ସହ ଭିଭିଆନ ଡିସେନାଙ୍କ ବହୁତ ପ୍ରଶଂସା ମଧ୍ୟ କରିଥିଲେ ।