ନୂଆ ବର୍ଷରେ ନୂଆ ଆଶା ରଖିଛନ୍ତି ଟିଭି ତାରକା ନିଧି ଉତ୍ତମ

ଜୀବନରେ ଅଭିନୟ କରିବାକୁ କେବେ ସ୍ୱପ୍ନ ଦେଖିନଥିବା ଟିଭି ତାରକା ନିଧି ଉତ୍ତମ ଅପ୍ରତ୍ୟାଶିତ ଭାବେ ସୁଯୋଗ ପାଇ ମାୟା ନଗରୀରେ ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି। ଟିଭି ପରଦାରେ ନିଜକୁ ପ୍ରତିଷ୍ଠିତ କରିବା ପରେ ମାତ୍ର ଦୁଇଟି ଚଳଚ୍ଚିତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ହେଁ ସେ ସେଥିରେ ସନ୍ତୁଷ୍ଟ ନୁହଁନ୍ତି। ତେବେ ନୂଆବର୍ଷ ୨୦୨୨ ତାଙ୍କ ପାଇଁ ଅସଲ ସୌଭାଗ୍ୟ ଭେଟିଦେବ ବୋଲି ଷ୍ଟାର ପ୍ଲସ୍‌ର ଦୀର୍ଘତମ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହୈ’ର ନନ୍ଦିନୀ ସିଂଘାଣିଆ ଚରିତ୍ର ପାଇଁ ଘରେ ଘରେ ଲୋକପ୍ରିୟ ଥିବା ନିଧି ଆଶା ବାନ୍ଧି ରହିଛନ୍ତି।

ଉତ୍ତରପ୍ରଦେଶର କାନପୁର ଠାରେ ୧୯୯୦ ଡିସେମ୍ବର ୧୪ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଜଣେ ଯାଆଁଳା କନ୍ୟା ଭାବେ ଜନ୍ମିତ ନିଧି ନିଜ ଜନ୍ମ ସ୍ଥାନରେ ହିଁ ହାଇସ୍କୁଲ ପାଠ ସାରି ଗ୍ରାଫିକ୍‌ ଡିଜାଇନ୍‌ ଆଣ୍ଡ୍‌ ଆନିମେସନ୍‌ରେ ଶିକ୍ଷା ଲାଭ ପାଇଁ ମୁମ୍ବାଇ ଯାଇଥିଲେ। ସେଠାରେ ୨୦୦୬ ମସିହାରେ ଏକଦା ତାଙ୍କ ଠାଣି ଓ ଚାହାଣିରେ ମୁଗ୍ଧ ହୋଇ ଲୋକପ୍ରିୟ ପ୍ରଯୋଜିକା ଏକତା କପୂର ଜୀ ଟିଭିରେ ପ୍ରସାରିତ ‘ମାୟକା’ ଧାରାବାହିକରେ ଗୋଟିଏ କ୍ଷୁଦ୍ର ଚରିତ୍ରରେ ଅଭିନୟ କରିବା ପାଇଁ ନିଧିଙ୍କୁ ପ୍ରବର୍ତ୍ତାଇଥିଲେ। ଅଭିନୟ ପ୍ରତି ନିଜର କୌଣସି ଦୁର୍ବଳତା ନଥାଇ ବି ଏଭଳି ଅନାହୂତ ପ୍ରସ୍ତାବରେ ସେ ନିଜକୁ ଭାଗ୍ୟବତୀ ମନେ କରି ରାଜି ହୋଇଯାଇଥିଲେ। ବାସ୍‌ ତାହା ପରଠାରୁ ସେ ଏକରକମ ଅଭିନୟ ଦୁନିଆଁ ପ୍ରତି ମୋହଗ୍ରସ୍ତ ହୋଇପଡ଼ିଥିଲେ। ଏହା ପରେ ତାଙ୍କୁ ଷ୍ଟାର ପ୍ଲସ୍‌ର ‘କସ୍ତୁରୀ’ ଧାରାବାହିକରେ ଟାଇଟଲ ଭୂମିକା ମିଳିଥିଲା। ମାତ୍ର ପରେ କୌଣସି କାରଣରୁ ତାଙ୍କ ସ୍ଥାନରେ ସୁଭାଙ୍ଗୀ ଆତ୍ରେ ଏହି ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ।

ଅପରପକ୍ଷେ, ୨୦୦୮ରେ ହିଁ ଏକତା କପୂର ପ୍ରଯୋଜିତ ଷ୍ଟାର ପ୍ଲସ୍‌ ଚ୍ୟାନେଲ ପାଇଁ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ର ମୁଖ୍ୟ ଚରିତ୍ର ତାରାରେ ନିଧି ଅସଲ ପ୍ରଥମ ପଦାର୍ପଣ କରି ନିଜର କମାଲ୍‌ ଦେଖାଇଥିଲେ। ଏହା ପରେ ତାଙ୍କୁ ଆଉ ପଛକୁ ଫେରିବାକୁ ପଡ଼ିନଥିଲା। ସେହି ବର୍ଷ ‘ଡୋଲି ସଜାକେ ରଖନା’ରେ କିଛି ପ୍ରଭାବୀ ଅଭିନୟ କରି ୨୦୦୯ରେ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ଦୀର୍ଘ ୭ ବର୍ଷ ଧରି ନନ୍ଦିନୀ ଭୂମିକା ନିଭାଇଥିଲେ। ଏଥି ସହିତ ୨୦୧୩ରେ ଲାଇଫ ଓକେର ‘ଏକ ବୁନ୍ଦ୍‌ ଇସ୍କ’ ସମେତ ପରେ ପରେ ଷ୍ଟାର ପ୍ଳସ୍‌ର ‘ଦିଲ୍‌ ବୋଲେ ଓବରୟ’ ଓ ଜୀ ଟିଭିର ‘ଏକ ଥା ରାଜା ଏକ ଥା ରାଣୀ’ରେ ମଧ୍ୟ ଦର୍ଶକଙ୍କ ମନରେ ଗଭୀର ରେଖାପାତ ଛାଡ଼ିଯାଇଥିଲେ। ପରେ ୨୦୧୮ରେ ପୁଣି ଥରେ ‘ୟେ ରିସ୍ତା କ୍ୟା କେହଲାତା ହୈ’କୁ ଫେରି ଆସି ୨୦୧୯ରେ ସେଥିରୁ ପୂର୍ଣ୍ଣ ବିଦାୟ ନେଇ ଜୀ ଟିଭିର ‘ଅଘୋରୀ’ରେ ଦେଖା ଦେଇଥିଲେ। ଏହି ଅବସରରେ ୨୦୧୭ରେ ସେ ‘ନହ୍ନେ ଆଇନ୍‌ଷ୍ଟାଇନ୍‌’ ସିନେମା ମାଧ୍ୟମରେ ଚଳଚ୍ଚିତ୍ର ଜଗତ୍‌କୁ ପ୍ରଥମ ପଦାର୍ପଣ କରିଥିଲେ। ଏହାପରେ ୨୦୨୦ରେ ମଧ୍ୟ ‘ଥପ୍ପଡ଼’ ସିନେମାରେ ତାଙ୍କୁ ପୂର୍ବାପେକ୍ଷା ଏକ ବଳିଷ୍ଠ ଭୂମିକା ମିଳିଥିଲା।

ମାତ୍ର ସିନେମାରେ ତାଙ୍କୁ ଏଯାଏ କୌଣସି ଗୁରୁତ୍ବପୂର୍ଣ୍ଣ ମୁଖ୍ୟ କି ମନଲାଖି ଭୂମିକା ମିଳିନଥିବାରୁ ତାଙ୍କ ମନରେ ବ୍ୟାକୁଳତା ଭରି ରହିଛି। ତେବେ ନୂଆବର୍ଷରେ କୌଣସି ନାମଘୋଷଣା ହୋଇନଥିବା ଦୁଇଟି ସିନେମାରେ ସେ ଚୁକ୍ତିବଦ୍ଧ ହୋଇଥିବା ସ୍ପଷ୍ଟ କରିବା ସହ ସେଥିରେ ତାଙ୍କୁ ପରମ ସନ୍ତୋଷ ମିଳିବ ବୋଲି ସେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର