ନୂଆଦିଲ୍ଲୀ : ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ଲୋକେ ମହିଳାଙ୍କ ମାସିକଧର୍ମକୁ ଏକ ଭିନ୍ନ ନଜରରେ ଦେଖୁଛନ୍ତି । ଆଜି ମଧ୍ୟ ମହିଳାମାନେ ସାନିଟାରି ନ୍ୟାପକିନକୁ ଲୁଚାଛପାରେ କିଣିଥାନ୍ତି । ତେବେ ବର୍ତ୍ତମାନମାସିକ ଧର୍ମ ଏବଂ ସାନିଟାରି ନ୍ୟାପକିନକୁ ନ ଲୁଚାଇ ଏହା ବିଷୟରେ ଖୋଲାରେ କଥା ହେବା ସମୟ ଆସିଗଲାଣି। କାରଣଏହା ଏକ ପ୍ରାକୃତିକ ନିୟମ, ଏଣୁ ଏହାକୁ ଲଜ୍ଜା କିମ୍ବା ଭିନ୍ନ ଦୃଷ୍ଟିରେ ଦେଖିବା କିଛି ଆବଶ୍ୟକତା ନାହିଁ । ଏହି ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏବଂ ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ପ୍ୟାଡ଼ମ୍ୟାନ୍‌’ର ପ୍ରୋମସନ ପାଇଁ ପ୍ରଯୋଜକ ମୁରୁଗନାଥମ ଏବଂ ଟୁଇଙ୍କିଲ ଖାନା ଏକ ଭିନ୍ନ ପନ୍ଥା ଅପଣାଇଛନ୍ତି ।

Advertisment

ସେମାନେ ଏଥିପାଇଁ ସୋସିଆଲ ମିଡ଼ିଆରେ ଏକ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଚ୍ୟାଲେଞ୍ଜ ଅନୁଯାୟୀ ବଲିଉଡ଼ କଳାକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ସାନିଟାରି ନ୍ୟାପକିନ (ପ୍ୟାଡ଼)କୁ ଧରି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ପ୍ୟାଡ଼ମ୍ୟାନ ଚ୍ୟାଲେଞ୍ଜ ଭାବେ ପୋଷ୍ଟ କରିବାକୁ ପଡ଼ିବ । ଇନ୍‌ଷ୍ଟାଗ୍ରାମରେ ଟୁଇଙ୍କିଲ ସାନିଟାରି ନ୍ୟାପକିନ ସହ ଫଟୋ ପୋଷ୍ଟ କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି , ‘ଏଥିରେ ଲାଜ କରିବାର କିଛି ନାହିଁ । ମାସିକ ଧର୍ମ ସଂପୂର୍ଣ୍ଣ ପ୍ରାକୃତିକ ।’

ଏହି ଚ୍ୟାଲେଞ୍ଜ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ଅକ୍ଷୟ କୁମାର , ସୋନମ କପୁର , ରାଧିକା ଆପଟେଙ୍କ ସମେତ ଆଲିଆ ଭଟ୍ଟ , ଆମିର ଖାନ , ସବାନା ଆଜମି , ଅର୍ଜୁନ କପୁର ଆଦି ସାନିଟାରୀ ନ୍ୟାପକିନ (ଫ୍ୟାଡ଼) ସହ ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆମ ଦେଶରେ ଅନେକ ସମୟରେ ମାସିକ ଧର୍ମର ସୁରକ୍ଷା ଏବଂ ଜ୍ଞାନରୁ ଅଭାବ ଯୋଗୁଁ ଅନେକ ମହିଳାଙ୍କ ମୃତ୍ୟୁ ଘଟିଥାଏ। ଏଣୁ ଏବେ ଏହାକୁ ଭୁଲି ମହିଳା ମାନଙ୍କୁ ସମ୍ମାନ ଦେବା ଆବଶ୍ୟକ ।