ଓଲିଉଡର ଦୁଇ ଲୋକପ୍ରିୟ ନାୟକଙ୍କ ପ୍ରଥମ ସିନେମାର ନାୟିକା ଥିଲେ ଏହି ପରଦେଶୀ ନାୟିକା

ବିଶେଷ: ଶିବଶଙ୍କର ଓଝା

ଭୁବନେଶ୍ବର: ଓଲିଉଡରେ କେତେକ ପରଦେଶୀ ନାୟିକା କିଛି ବର୍ଷ ରାଜ୍ କରିଛନ୍ତି। ଏମାନଙ୍କ ଭିତରୁ ଜଣେ ହେଲେ ନମ୍ରତା ଥାପ୍ପା। ତାଙ୍କର ସୌଭାଗ୍ୟ ଯେ ସେ ଓଲିଉଡର ଦୁଇ ନାମକରା ନାୟକଙ୍କ ପ୍ରଥମ ଫିଲ୍ମରେ ନାୟିକା ବନିଥିଲେ। ଏହି ଦୁଇ ନାୟକ ହେଲେ ଅନୁଭବ ଓ ଅରିନ୍ଦମ। ଆଉ ଏକ ବଡ଼ କଥା ହେଲା ଯେ ଦୁଇଟିଯାକ ଫିଲ୍ମ ସୁପରହିଟ୍ ବି ହୋଇଥିଲା। ଉଭୟ ସିନେମାର ପ୍ରଯୋଜନା କରିଥିଲେ ବ୍ରଜରାଜ ମୁଭିଜ୍।


ଅନୁଭବ ଓ ନମ୍ରତା ଥାପ୍ପା ବ୍ରଜରାଜ ମୁଭିଜର ‘ଆଇ ଲଭ ୟୁ’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାର ନିର୍ଦେଶକ ଥିଲେ ହର ପଟ୍ଟନାୟକ। ‘ଆଇ ଲଭ ୟୁ’ର ପ୍ରଯୋଜକ ହେଲେ ସଞ୍ଜୟ ନାୟକ । ଅନୁଭବ ଓ ନମ୍ରତା ଥାପ୍ପାଙ୍କ ବ୍ୟତୀତ ଏହାର ଅନ୍ୟ ମୁଖ୍ୟ କଳାକାରମାନେ ହେଲେ ବିଜୟ ମହାନ୍ତି, ତନ୍ଦ୍ରା, ଅନୀତା ଦାସ, ନିହାରିକା ଓ ହର ପଟ୍ଟନାୟକ ପ୍ରମୁଖ।
ପ୍ରଥମ ଫିଲ୍ମଟି ବ୍ଲକ୍‌ବଷ୍ଟରର ମାନ୍ୟତା ପାଇବା ପରେ ଏହି ଯୋଡ଼ି ବି ସୁପରହିଟ୍‌ ହୋଇଥିଲା । ଏହାପରେ ଉଭୟଙ୍କୁ ଏକାଠି ‘ ପ୍ରିୟା ମୋ ପ୍ରିୟା’ ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ ।

ଅରିନ୍ଦମ୍‌-ନମ୍ରତା ଯୋଡ଼ିର ପ୍ରଥମ ସିନେମା ହେଲା ‘ପ୍ରେମ ଋତୁ ଆସିଲାରେ’। ଏହା ଅରିନ୍ଦମ୍‌ଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏହାର ନିର୍ଦେଶକ ଥିଲେ ସୁଧାଂଶୁ ମୋହନ ସାହୁ। ଏହାର ପ୍ରଯୋଜକ ଥିଲେ ବିନୟ ନାୟକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଅନୁ ଚୌଧୁରୀ ଓ ବିଜୟ ମହାନ୍ତି ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସୁପରହିଟ୍‌ ହେବା ପରେ ଅରିନ୍ଦମ୍‌-ନମ୍ରତାଙ୍କ ଯୋଡ଼ିକୁ ଦର୍ଶକ ‘ମୁଁ ତତେ ଲଭ୍‌ କରୁଛି’ ଓ ‘ମିତରେ ମିତ’ ରେ ଦେଖିବାକୁ ପାଇଛନ୍ତି ।

 

ସମ୍ବନ୍ଧିତ ଖବର