ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଓଡ଼ିଆ ସିନେମା ‘କର୍ମ’ର ଫାଷ୍ଟ୍‌ଲୁକ୍‌କୁ ସିନେପ୍ରେମୀ ବେଶ୍ ପସନ୍ଦ କରିଛନ୍ତି। ଏବେ ଏହି ସିନେମା ସଂପର୍କରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ‘କର୍ମ’ରେ ଦର୍ଶକ ଦୁଇଟି ଯୋଡ଼ିଙ୍କୁ ପ୍ରଥମ ଥର ଦେଖିବାକୁ ପାଇବେ। ଓଲିଉଡ୍‌ର ଲୋକପ୍ରିୟ ନାୟକ ଅନୁଭବ ଓ ନାୟିକା ସୂର୍ଯ୍ୟମୟୀଙ୍କ ଯୋଡ଼ି ସହ ନବାଗତ ମନ୍ମୟ ଦେ- ଦିବ୍ୟାଦିଶାଙ୍କ ଯୋଡ଼ି ବି ପରଦାକୁ ଆସୁଛନ୍ତି।

Advertisment

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କର୍ମ’ରେ ଅନୁଭବ ମହାନ୍ତି ସ୍ପେସାଲ୍ ଟାସ୍କ୍‌ ଅଫିସର୍ ଅମର ପଟ୍ଟନାୟକ ଭୂମିକାରେ ଅଭିନୟ କରିଥିବା ବେଳେ ସୂର୍ଯ୍ୟମୟୀ ତାଙ୍କ ପତ୍ନୀ ଭୂମିକା ନିଭାଇଛନ୍ତି। ସେହିଭଳି ମନ୍ମୟ ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କ ପୁଅ ଭୂମିକାରେ ଅଛନ୍ତି। ଆଉ ତାଙ୍କ ଗାଉଁଲି ପ୍ରେମିକା ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା।

ଏହି ଯୋଡ଼ିଙ୍କର ଏକ ମନଛୁଆଁ ପ୍ରେମ କାହାଣୀ ବି ରହିଛି। ତେବେ ଏ ଦୁଇ ଯୋଡ଼ି କାହାଣୀରେ କିଭଳି ଗୁନ୍ଥା ହୋଇଛନ୍ତି ଏବଂ ପରଦାରେ ଏମାନେ କି କମାଲ୍ କରୁଛନ୍ତି, ତାହା ‘କର୍ମ’ ମୁକ୍ତିଲାଭ କରିବା ପରେ ଜଣାଯିବ। ‘କର୍ମ’ରେ ‌ଏମାନଙ୍କ ବ୍ୟତୀତ ସନୋଜ, ନିଶାନ୍ତ ମଜିଠିଆ ଓ ଉଦିତ ଗୁରୁ ପ୍ରମୁଖ ଅଭିନୟ କରିଛନ୍ତି। ମାନସ ପଢ଼ିଆରି ଏହାର ସଂଳାପ ଲେଖିଥିବା ବେଳେ ଦୀପକ କୁମାର ସିନେମାଟୋଗ୍ରାଫି ଦାୟିତ୍ବ ସମ୍ଭାଳିଛନ୍ତି। ଆଶିଷ ପ୍ରଧାନ ଏହାର ସଙ୍ଗୀତକାର।