ଏଥର ଦଶହରା ଅବସରରେ କେବଳ ଦୁଇଟି ଓଡ଼ିଆ ଛବି ବଡ଼ ପରଦାକୁ ଆସୁଛି- ‘ଚାରିଧାମ’ ଓ ‘ଚ୍ୟାଲେଞ୍ଜ୍‌’। ସଂଯୋଗକ୍ରମେ ଦୁଇଟିଯାକ ଛବିର ନାମ ‘ଚ’ ଅକ୍ଷରରୁ ଆରମ୍ଭ ହେଇଥିବା ବେଳେ ‘ଚାଲେଞ୍ଜ୍‌’ ସେପ୍ଟେମ୍ବର ୨୪ ଓ ‘ଚାରିଧାମ’ ୨୫ ତାରିଖରେ ରିଲିଜ୍ ହେଉଥିବାର ସୂଚନା ରହିଛି। ତେବେ ପ୍ରଥମଥର ପୂଜାରେ ଅନୁଭବଙ୍କ ସାମ୍ନା କରୁଥିବାରୁ ଏହାକୁ ନେଇ ଚର୍ଚ୍ଚା ସାଉଁଟିଛନ୍ତି ଅର୍ଦ୍ଧେନ୍ଦୁ। ଉଭୟ ସିନେମା ପାରିବାରିକ କାହାଣୀ ସଙ୍ଗକୁ ଆକ୍ସନ୍ ଆଧାରିତ ହୋଇଥିବା ହେତୁ ଏଥର ରୋଚକ ଲଢ଼େଇ ହେବାର ସମ୍ଭାବନା କ୍ଷୀଣ ବୋଲି ସିନେ-ସମୀକ୍ଷକମାନେ ମତ ଦେଉଛନ୍ତି। ତେବେ ସିନେମାର ଆଦରଣୀୟତା ଦର୍ଶକଙ୍କ ମିଜାଜ ଉପରେ ନିର୍ଭରଶୀଳ।

Advertisment

ଉଭୟ ସିନେମାରେ ନୂଆ ଯୋଡ଼ି

ହିମାଦ୍ରି ତନୟ ଦାସଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଚାରିଧାମ’ରେ ପ୍ରଥମଥର ଲାଗି ଆଗଧାଡ଼ିର ନାୟକ ଅନୁଭବଙ୍କ ବିପକ୍ଷରେ ଅନୁରାଧା ନାୟିକା ଭୂମିକାରେ ନଜର ଆସିବେ। ଠିକ୍ ସେହିପରି  ଆଦିଲକ୍ଷ୍ମୀ ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ବ୍ୟାନର୍‌ରେ ନିର୍ମିତ ତଥା ସାଇକିରଣ ମଙ୍ଗରାଜଙ୍କ ନିର୍ଦ୍ଦେଶିତ ‘ଚ୍ୟାଲେଞ୍ଜ୍‌’ରେ ପ୍ରଥମ ଥର ଲାଗି ନାୟକ ଅର୍ଦ୍ଧେନ୍ଦୁ ଓ ନାୟିକା ଏଲିନାଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। 

Untitled-4

ଲଗାତାର ଦ୍ବିତୀୟ ଥର 

ଓଲିଉଡ୍‌ର ଯୁବ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସିନେମା ‘ଦୁର୍ଗା’ ଗତବର୍ଷ ଦଶହରା ଅବସରରେ ମୁକ୍ତିଲାଭ କରିଥିଲା। ଏଥର ବି ସେ ତାଙ୍କ ନୂଆ ସିନେମା ‘ଚାରିଧାମ’ ନେଇ ଦର୍ଶକଙ୍କ ପାଖକୁ ଆସୁଛନ୍ତି। ଠିକ୍ ସେହିପରି ପ୍ରଯୋଜକ ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ‘ଭିଲେନ୍’ ୨୦୨୪ ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ୨୦୨୫ ପୂଜାରେ ପୁଣି ତାଙ୍କ ପ୍ରଯୋଜିତ ଛବି ‘ଚ୍ୟାଲେଞ୍ଜ୍‌’ ରିଲିଜ୍ କରୁଛନ୍ତି। 
ଠିକ୍ ସେହିପରି ଗତଥର ଦଶହରାରେ ନାୟକ ଅର୍ଦ୍ଧେନ୍ଦୁଙ୍କ ‘ଭିଲେନ୍’ ରିଲିଜ୍ ହୋଇଥିବା ବେଳେ ଏଥର ‘ଚ୍ୟାଲେଞ୍ଜ୍‌’ରେ ନଜର ଆସିବେ ସେ। ଏଣେ ଜଣାଶୁଣା ସଂଳାପକାର ମାନସ ପଢ଼ିଆରୀ ମଧ୍ୟ ଗତବର୍ଷ ପୂଜା ସିନେମା ‘କର୍ମ’ ସହ ଜଡ଼ିତ ଥିଲେ, ଆଉ ଏଥର ‘ଚ୍ୟାଲେଞ୍ଜ୍‌’ର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସେ ଲେଖିଛନ୍ତି। ଏଣେ ସିନେମାଟୋଗ୍ରାଫର୍ ପ୍ରତାପ ରାଉତ ମଧ୍ୟ ଗତଥର ‘ଭିଲେନ୍’ର ଚିତ୍ରୋତ୍ତଳନ ଦାୟିତ୍ବରେ ଥିବାବେଳେ ଏଥର ସେ ‘ଚ୍ୟାଲେଞ୍ଜ୍‌’ର ଡାଇରେକ୍‌ଟର ଅଫ୍‌ ଫଟୋଗ୍ରାଫି (ଡିଓପି) ଅଛନ୍ତି।

ଆଇଟମ୍ ଗାର୍ଲ ଶିବାନୀ

ଅନୁ ଚୌଧୁରୀଙ୍କଠାରୁ ଆରମ୍ଭକରି ଭୂମିକାଙ୍କଯାଏ ଆଗଧାଡ଼ିର ନାୟିକମାନେ ଆଇଟମ୍ ଗାର୍ଲ ବନି ସାରିଲେଣି। ଏ କ୍ଷେତ୍ରରେ ଶିବାନୀ ବା କାହିଁକି ପଛରେ ପଡ଼ିବେ? ସେ ପ୍ରଥମଥର ପାଇଁ ‘ଚାରିଧାମ’ରେ ଆଇଟମ୍ ନମ୍ବର ‘କେରକେରା...’ରେ ଧମାଲ୍ ମଚାଇଛନ୍ତି। ୨୦୧୮ର ପୂଜା ସିନେମା ‘ପ୍ରେମ୍ କୁମାର’ ପରେ ଅନୁଭବଙ୍କ ସହ ଦ୍ବିତୀୟଥର ଲାଗି ଏଥିରେ ନଜର ଆସିଛନ୍ତି ଶିବାନୀ।

ପ୍ରଥମଥର ପୂଜା ବଜାରରେ

‘ଚ୍ୟାଲେଞ୍ଜ୍‌’ଜରିଆରେ ପ୍ରଥମଥର ପୂଜା ବଜାରରେ ପଦାର୍ପଣ କରିଛନ୍ତି ନିର୍ଦ୍ଦେଶକ ସାଇକିରଣ ମଙ୍ଗରାଜ। ଠିକ୍ ସେହିପରି ‘ଚାରିଧାମ’ ହେଉଛି ହିମାଦ୍ରି ତନୟ ଦାସଙ୍କ ପ୍ରଥମ ପୂଜା ସିନେମା। କାହାଣୀକାର ଅଖିଳ ରାଉତରାୟ ଓ ସଂଳାପ ଲେଖକ କୁମାରଶ୍ରୀ ସାହୁଙ୍କର ବି ଏହା ପ୍ରଥମ ପୂଜା ସିନେମା। ଏହା ବି ବଲିଉଡ୍‌ ଅଭିନେତା ପୁନିତ ଇସାର୍‌ଙ୍କ ପ୍ରଥମ ଓଡ଼ିଆ ତଥା ପୂଜା ସିନେମା। ତେଣେ ଏହି ସିନେମାରେ ପୁପିନ୍ଦର-ଲିପି ଯୋଡ଼ିଙ୍କୁ ପ୍ରଥମ ଥର ଭେଟିବେ ଦର୍ଶକ। ଏହିକ୍ରମରେ ଆମେ ‘ଚାରିଧାମ’ରେ ଅଭିନୟ କରିଥିବା ନାୟିକା ଅନୁରାଧା ପାଣିଗ୍ରାହୀ ଓ ଅଭିନେତା ଗୁଲୁଆଙ୍କୁ ବି ନେଇପାରିବା।