ଭୁବନେଶ୍ୱର: ଆଗାମୀ ସ୍ୱାଧୀନତା ଦିବସ ଅବସରରେ ପୁଣି ଦୁଇଟି ହିନ୍ଦୀ ସିନେମାଭିତରେ ଜବରଦସ୍ତ ଟକ୍କର ହେଉଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ଗୋଟିଏ ହେଲା ‘ସତ୍ୟମେବ ଜୟତେ’ ଏବଂ ଅନ୍ୟଟି ହେଲା ‘ଗୋଲଡ’। ‘ସତ୍ୟମେବ ଜୟତେ’ ଯେଉଁ ଦିନ ରିଲିଜ୍ ହେଉଛି, ଠିକ୍ ସେହିଦିନ ଅନ୍ୟ ଏକ ଫିଲ୍ମ ‘ଗୋଲଡ’ ବି ମୁକ୍ତିଲାଭ କରୁଛି। ଏହି ସିନେମାରେ ଅକ୍ଷୟ କୁମାର ଓ ମୌନୀ ରୟ ଅଭିନୟ କରୁଛନ୍ତି।
ଅକ୍ଷୟ କୁମାର ଓ ଜନ୍ ଆବ୍ରାହମ୍ ଭଲ ସାଙ୍ଗ। ହେଲେ ଏଭଳି ବ୍ୟାବସାୟିକ ପ୍ରତିଯୋଗିତା ସଂପର୍କରେ ଜନ୍ କହିଛନ୍ତି ଯେ ଫିଲ୍ମର ରିଲିଜ୍ ତାରିଖ ପ୍ରଯୋଜକ ସ୍ଥିର କରିଥାନ୍ତି। ଏଥିରେ ତାଙ୍କର ହାତ ନାହିଁ। ଅକ୍ଷୟଙ୍କ ସହିତ ତାଙ୍କ ବନ୍ଧୁତା ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଜନ୍ ଆବ୍ରାହମ୍ କହିଛନ୍ତି।
‘ସତ୍ୟମେବ ଜୟତେ’ ଟାଇଟଲରେ କିଛି ବର୍ଷ ତଳେ ଅନ୍ୟ ଏକ ସିନେମା ନିର୍ମିତ ହୋଇଥିଲା, ଯେଉଁଥିରେ ବିନୋଦ ଖାନ୍ନା ନାୟକ ଭୂମିକାରେ ନଜର ଆସିଥିଲେ। ହେଲେ ଏବେ ଯେଉଁ ‘ସତ୍ୟମେବ ଜୟତେ’ ପରଦାକୁ ଆସୁଛି, ସେଥିରେ ଜନ୍ ଆବ୍ରାହମ୍ ଆସୁଛନ୍ତି ନାୟକ ଚରିତ୍ରରେ। ଏଥିରେ ଜନ୍ଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ନବାଗତା ଆୟେଶା ଶର୍ମା।
ଫିଲ୍ମ ‘ପରମାଣୁ’ ରିଲିିଜ୍ ହେବା ପରେ ପୁଣି ଥରେ ଜନ୍ ଆବ୍ରାହମ୍ଙ୍କ ଚାହିଦା ବଲିଉଡରେ ବଢିଯାଇଛି। ସେ ପୁଣି ଥରେ ଦେଶାତ୍ମବୋଧକ ସିନେମାରେ କାମ କରିଛନ୍ତି। ‘ସତ୍ୟମେବ ଜୟତେ’ ରେ ଜନ୍ ଆବ୍ରାହମ୍ଙ୍କୁ ଜଣେ ଦେଶପ୍ରେମୀ ଯୁବକ ଭୂମିକାରେ ଦେଖିବାକୁ ମିଳି। ଏଥିରେ ମନୋଜ ବାଜପେୟୀ ବି ଅଛନ୍ତି ଏକ ଗରୁତ୍ୱପୂର୍ଣ୍ଣ ଭୂମିକାରେ।
‘ସତ୍ୟମେବ ଜୟତେ’ର ନିର୍ଦ୍ଦେଶନା ଦେଇଛନ୍ତି ମିଲାପ ମିଲନ୍ ଜାଭେରୀ । ଏହାର ପ୍ରଯୋଜକ ହେଲେ ଭୂଷଣ କୁମାର ଓ ନିଖିଲ ଆଡଭାନି।