୫୩ତମ ଆଇଏଫ୍‌ଏଫ୍‌ଆଇର ଭାରତୀୟ ପାନୋରମା ବର୍ଗ ଉଦ୍‌ଘାଟିତ, ପ୍ରଦର୍ଶିତ ହେବ ଓଡ଼ିଆ ଛବି ‘ପ୍ରତୀକ୍ଷା’

ପାନାଜୀ: ଗୋଆରେ ଅନୁଷ୍ଠିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଇଣ୍ଡିଆନ୍ ପାନୋରାମା ବର୍ଗ ଆରମ୍ଭ ହୋଇଛି। କେନ୍ଦ୍ରସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଛନ୍ତି।

ଏହି ଉଦ୍‌ଘାଟନୀ ସମାରୋହରେ ଦର୍ଶକମାନଙ୍କ ଉଦ୍ଦେଶ୍ୟରେ ଚଳିତ ବର୍ଷ ପାଇଁ ଭାରତୀୟ ପାନୋରାମା ୨୦୨୨ ବର୍ଗ ଅଧୀନରେ ୨୫ଟି ଫିଚର୍ ଏବଂ ୨୦ଟି ଅଣ-ଫିଚର୍ ଫିଲ୍ମ ଆଇଏଫ୍‌ଏଫ୍‌ଆଇର ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି । ଚଳିତ ବର୍ଷ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ପ୍ରତୀକ୍ଷା’ ଏହି ବର୍ଗରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ବିଶିଷ୍ଟ ଓଡିଆ ନିର୍ମାତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ଅମିୟ ପଟ୍ଟନାୟକଙ୍କ ପୁଅ ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର “ପ୍ରତୀକ୍ଷା” ସାରଳା ପୁରସ୍କାର ବିଜେତା ଗୌରହରି ଦାସ ଦ୍ୱାରା ଲିଖିତ ଏକ କ୍ଷୁଦ୍ର ଗଳ୍ପ ଦ୍ୱାରା ଅନୁପ୍ରାଣିତ ହୋଇଛି|

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସେହି ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି , ଯେଉଁମାନଙ୍କର ଚଳଚ୍ଚିତ୍ର ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେଉଛି । ସମସ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ଏବଂ ଭାରତୀୟ ପାନୋରାମା ପାଇଁ ସେଗୁଡିକ ମଧ୍ୟରୁ ସର୍ବୋତ୍ତମ ଚଳଚ୍ଚିତ୍ର ଚୟନ କରି ଥିବାରୁ ସେ ବିଚାରକମଣ୍ଡଳୀର ସମସ୍ତସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ।

ଏହି ସମାବେଶକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଭାରତୀୟ ପାନୋରାମା ବିଭାଗ ଅଧୀନରେ ଦେଶର ସମସ୍ତ ଅଞ୍ଚଳରୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଉଦ୍‌ଘାଟନୀ ଚଳଚ୍ଚିତ୍ର ‘ହାଦିନେଲେନ୍ତୁ’ (ଫିଚର) ଏବଂ ‘ଦି ସୋ ମଷ୍ଟ୍ ଗୋ ଅନ୍’ (ଅଣ – ଫିଚର)ର ଫିଲ୍ମ ନିର୍ମାତାଙ୍କୁ ସମ୍ମାନିତ କରିଥିଲେ।

ଭାରତୀୟ ପାନୋରମା ହେଉଛି ଆଇଏଫ୍‌ଏଫ୍‌ଆଇର ଏକ ପ୍ରମୁଖ ଉପାଦାନ ଯେଉଁଥିରେ ଚଳଚ୍ଚିତ୍ର କଳାର ପ୍ରଚାର ପାଇଁ ସମସାମୟିକ ସର୍ବଶେଷ୍ଠ ଭାରତୀୟ ଚଳଚ୍ଚିତ୍ରଗୁଡିକୁ ଚୟନ କରାଯାଇଥାଏ । ଭାରତୀୟ ଚଳଚ୍ଚିତ୍ର ତଥା ଭାରତର ସମୃଦ୍ଧ ସଂସ୍କୃତି ଏବଂ ସିନେମା କଳାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ୧୯୭୮ରେ ଆଇଏଫ୍‌ଏଫ୍‌ଆଇର ଏକ ଅଂଶ ଭାବରେ ଉପସ୍ଥାପିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରବିଚାରକମଣ୍ଡଳୀର ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ।

ଭାରତୀୟ ପାନୋରମାର ଚୟନ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କରାଯାଇଛି, ଯେଉଁଥିରେ ଫିଚର ଚଳଚ୍ଚିତ୍ର ପାଇଁ ସମୁଦାୟ ୧୨ ଜଣ ଜୁରି ସଦସ୍ୟ ଏବଂ ଅଣ – ଫିଚର ଚଳଚ୍ଚିତ୍ର ପାଇଁ ୬ ଜଣ ଜୁରି ସଦସ୍ୟ ସାମିଲ୍ ହୋଇଛନ୍ତି। ଭାରତୀୟ ପାନୋରାମା ବିଭାଗ ପାଇଁ ମନୋନିତ ଚଳଚ୍ଚିତ୍ର, ଚଳଚ୍ଚିତ୍ର କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଭାରତ ତଥା ବିଦେଶରେ ଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ, ଦ୍ୱିପାକ୍ଷିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଭାରତୀୟ ଚଳଚ୍ଚିତ୍ର ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହରେ ମଧ୍ୟ ଅଣ- ଲାଭକାରୀ ଫିଲ୍ମ ସ୍କ୍ରିନିଂ ପାଇଁ ପ୍ରଦର୍ଶିତ ହେବ ।

ସମ୍ବନ୍ଧିତ ଖବର