ମୁମ୍ବାଇ : ଟିଭି ଧାରାବାହିକ କସମ ତେରି ପ୍ୟାର କିର ଅଭିନେତା ଅଂଶ ଆରୋରା ଗାଜିଆବାଦ ପୁଲିସ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି । ପୁଲିସର ଅତ୍ୟାଚାର ପାଇଁ ଏବେ ଅଂଶ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ତାଙ୍କୁ ମାଡ଼ ମାରିଥିବ ନେଇ ମାନବାଧିକାର ଆୟୋଗଙ୍କ ଆଗରେ ଅଭିଯୋଗ କରିଛନ୍ତି ଅଂଶ । ମେ’ ୧୧ ତାରିଖ ରାତି ସମୟରେ ଅଂଶ ଏକ ସପିଂ ମଲର ଫୁଡ୍କୋଟକୁ ଯାଇ ଭଙ୍ଗାରୁଜା କରିଥିଲେ । ଯାହା ପରେ ଗାଜିଆବାଦ ପୁଲିସ ତାଙ୍କୁ ଗିରଫ କରି ମାଡ଼ ମାରିଥିଲା ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/05/1558178752-Ansh-Aroroa-1-300x225.jpg)
ଅଂଶଙ୍କ କହିବା ଅନୁଯାୟୀ, ମେ’ ୧୧ରେ ମୁଁ ଗାଜିଆବାଦ୍ର ଏକ ମଲକୁ ଯାଇ ଫୁଡ୍କୋଟରେ ଖାଇବା ଅର୍ଡର କରିଥିଲି । କିନ୍ତୁ ସେମାନେ ଦେବାକୁ ବିଳମ୍ବ କରିବାରୁ ମୁଁ ପରେ ଅର୍ଡର ରଦ୍ଦ କରି ଦେଇଥିଲି । ଏହା ଜାଣିବା ପରେ ଫୁଡ୍କୋଟର ଜଣେ କର୍ମଚାରୀ ମୋ ସହ ଖରାପ ବ୍ୟବହାର କରିଥିଲେ । ଯାହା ପରେ ମୋତେ ରାଗ ଲାଗିବାରୁ ମୁଁ ଫୁଡ୍କୋଟର କିଛି ଜିନିଷ ଭାଙ୍ଗି ଦେଇଥିଲି । ପରଦିନ ଭୁଲ ବୁଝିପାରି ମୁଁ ଫୁଡ୍କୋଟକୁ କ୍ଷମା ମାଗିବାକୁ ଯାଇଥିବା ବେଳେ ସେମାନେ ମୋତେ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ମୋ ବିରୋଧରେ ମାମଲା ରୁଜୁ କରି ମୋତେ ଅପରାଧିଙ୍କ ଭଳି ମାଡ଼ ମାରିଥିଲେ । ଫୋନ ଛଡ଼ାଇ ନେବା ସହ ପରିବାର ଲୋକଙ୍କ ସହ କଥା ହେବାକୁ ଦେଇ ନଥିଲେ । ମୁଁ ଘରକୁ ନ ଫେରିବାରୁ ପରିବାର ଲୋକେ ନିଖୋଜ ହେବାର ଏତଲା ରୁଜୁ କରିବା ପାଇଁ ପୁଲିସ ଷ୍ଟେସନ ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ମୋ ବିଷୟରେ ଜଣା ପଡ଼ିଥିଲା ବୋଲି ସେ କହିଛନ୍ତି । ଜେଲରୁ ବାହାରିବା ପରେ ଅଂଶଙ୍କୁ ଏବେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଭର୍ତ୍ତି କରାଯାଇଛି ।