ପୁଣି ପରଦାକୁ ଆସୁଛନ୍ତି ବାବୁସାନ୍‌-ଭୂମିକା ଯୋଡ଼ି

ଭୁବନେଶ୍ବର: ଆଜି ହେଉଛି ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଜନ୍ମଦିନ। ସେ ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ‘ରୋମିଓ- ଦ ଲଭର ବୟ’ ଜରିଆରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାପରେ ସେ ଆଉ ପଛକୁ ଫେରିଚାହିଁନାହାନ୍ତି। ଏହି ସମୟ ଭିତରେ କେତେକ ଆଗଧାଡ଼ିର ନାୟିକାଙ୍କ ସହ କାମ କରିଛନ୍ତି ବାବୁସାନ୍। ସେମାନଙ୍କ ଭିତରୁ କେତେକଙ୍କ ସହ ହାଟ୍ରିକ୍ କରିଛନ୍ତି। ଏହି ଧରଣର ଏକ ଯୋଡ଼ି ହେଲେ ବାବୁସାନ୍‌-ଭୂମିକା। ଏହି ଯୋଡ଼ିଙ୍କର ପ୍ରଥମ ସିନେମା ହେଲା ‘ହିରୋ ନମ୍ବର ଓ୍ଵାନ୍‌’। ଏହା ୨୦୧୭ ପୂଜା ବଜାରରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ବାବୁସାନ୍‌-ଭୂମିକାଙ୍କ ଯୋଡ଼ି ବି ଜମି ଯାଇଥିଲା।
ଏବେ ପୁଣିଥରେ ୨୦୧୮ ପୂଜା ବଜାରରେ ବାବୁସାନ୍‌-ଭୂମିକାଙ୍କ ଯୋଡ଼ିକୁ ନେଇ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ ଏକ ଫିଲ୍ମ ନିର୍ମାଣ କରିଥିଲା ଯାହାର ଟାଇଟଲ୍ ଥିଲା ‘ଶ୍ରୀମାନ୍ ସୁଦାସ’ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ହିଟ୍‌ ଡାଇରେକ୍ଟର ଅଶୋକ ପତି। ଅଭିଜିତ୍‌ ମଜୁମ୍‌ଦାର୍‌ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ, ସଂଳାପ ଲେଖିଥିଲେ ରଣଜିତ୍‌ ପଟ୍ଟନାୟକ।
ହେଲେ ଆପଣ କ’ଣ ଜାଣନ୍ତି କେବଳ ଏହି ଦୁଇଟି ନୁହେଁ, ବରଂ ଆଉ ଏକ ସିନେମାରେ ବି ନଜର ଆସିଥିଲେ ବାବୁସାନଙ୍କ ସହ ଭୂମିକା। ଏହି ସିନେମା ହେଲା ‘ମିଷ୍ଟର୍ ମଜନୁ’। ଏହା ୨୦୧୯ ପୂଜା ବଜାରରେ ରିଲିଜ୍ ହୋଇଥିଲା। ଏଥିରେ ଅବଶ୍ୟ ଭୂମିକା ନାୟିକା ନ ଥିଲେ। ତାଙ୍କୁ ଏଥିରେ ଅତିଥି କଳାକାର ଭାବେ ଦେଖିବାକୁ ମିଳିଥିଲା କ୍ଲାଇମାକ୍ସରେ। ଏହି ଦୃଶ୍ୟରେ ବାବୁସାନଙ୍କ ସହ ଦେଖା ଦେଇଥିଲେ ଭୂମିକା। ଏଥିରେ ଜଣେ ଡାକ୍ତର ଭୂମିକାରେ ନଜର ଆସିଥିଲେ ଭୂମିକା।‘ମିଷ୍ଟର୍ ମଜନୁ’ରେ ଶୀତଲ, ସୂରମୟୀ ଓ ଦିବ୍ୟା ନାୟିକା ଭୂମିକାରେ ଥିଲେ। ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ ଅଶୋକ ପତି। ଏସବୁ ଫିଲ୍ମର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକ୍‌ସନ୍‌ସ।

ଏବେ ବାବୁସାନ୍‌-ଭୂମିକାଙ୍କୁ ଦେଖିବାକୁ ପାଇବେ ତାହା ହେଲା ‘ଦମନ’। ଏଥିରେ ବାବୁସାନ-ଭୂମିକାଙ୍କ ବ୍ୟତୀତ ଈଶାନୀ ସେନଗୁପ୍ତା, ରାଜ ରାଜେଶ ଓ ଋଷି ପ୍ରମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହାର ନିର୍ଦ୍ଦେଶକ ହେଲେ ରାଜେନ୍ଦ୍ର ମହନ୍ତ। ଦିଲୀପ ଚୌଧୁରୀ ଏହାର ସଂଳାପ ଲେଖିଥିବା ବେଳେ ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଏହା ଏକ ଭିନ୍ନ ଧରଣର ଫିଲ୍ମ ବୋଲି କୁହାଯାଉଛି। ଏଥିରେ ବାବୁସାନଙ୍କୁ ଡାକ୍ତର ଭୂମିକାର ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର