ଆସୁଛନ୍ତି ହାସ୍ୟାଭିନେତା ପପୁ ପମ୍‌ପମ୍‌

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ହାସ୍ୟାଭିନେତା ପପୁ ପମ୍‌ପମ୍‌ଙ୍କର କେତୋଟି ଆଗାମୀ ଓଡ଼ିଆ ସିନେମା ଏବେ ମୁକ୍ତି ଅପେକ୍ଷାରେ ରହିଛି। ଏଥିଭିତରୁ ଗୋଟିଏ ହେଲା ସୁନ୍ଦରଗଡର ସଲମାନ୍‌ ଖାନ୍‌। ଏଥିରେ ପପୁଙ୍କୁ ଜଣେ ପୂଜକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ତାଙ୍କର ଅନ୍ୟ ଏକ ଚଳଚ୍ଚିତ୍ର ‘ଟୋକାଟା ଫସିଗଲା’ । ଏହି ସିନେମାରେ ପୁଣି ଥରେ ନାୟକ ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ନଜର ଆସିବେ ପପୁ ।

ଏହାର କାହାଣୀ ଅନୁଯାୟୀ ସବ୍ୟସାଚୀ ଓ ପପୁ ପମ୍‌ପମ୍‌ ଖୁବ୍‌ ଭଲ ସାଙ୍ଗ । ତାଙ୍କ ମୁଣ୍ଡକୁ ବେଳେବେଳେ ଅଜବ କଥା ଢୁକେ । ଥରେ ସେ ଦୁହେଁ ତାଙ୍କର ଜଣେ ସାଙ୍ଗଙ୍କର ବାହାଘର ଭାଙ୍ଗିବାର ଯୋଜନା କରନ୍ତି । ପ୍ରୟାସ ବେଳେ ନାୟକ ସବ୍ୟସାଚୀ ଫସିଯାନ୍ତି ଜଣେ ଯୁବତୀଙ୍କର ପ୍ରେମରେ । ଆଉ ସେହି ଭଳି ପରିସ୍ଥିତି ଉପୁଜିବାପରେ ପପୁ ପମ୍‌ପମ୍‌ କିପରି ହାସ୍ୟରୋଳ ସୃଷ୍ଟି କରନ୍ତି, ତାହା ଦେଖିବାକୁ ମିଳିବ ‘ଟୋକାଟା ଫସିଗଲା’ ଫିଲ୍ମରେ । ଏହି ସିନେମାରେ ପପୁ ପମ୍‌ପମ୍‌ଙ୍କ ଚରିତ୍ରଟି ଯେତିକି ମଜାଦାର୍‌, ସେ ବି ସେତିକି ମାତ୍ରାରେ ତା’କୁ ଜୀବନ୍ତ କରି ତୋଳିଥିବା କୁହାଯାଉଛି । ସୀତାରାମ ଅଗ୍ରଓ୍ଵାଲାଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ସିନେମାର ନାୟିକା ହେଲେ ଏଲିନା ସାମନ୍ତରାୟ ।


ଠିକ୍‌ ସେହିପରି ପପୁ ପମ୍‌ପମ୍‌ଙ୍କୁ ଏବର୍ଷ ଆଉ ଏକ ସିନେମାରେ ବି ଜବରଦସ୍ତ କମେଡ଼ି କରୁଥିବାର ଦେଖିବାକୁ ପାଇବେ । ଏହି ଓଡ଼ିଆ ଛବି ହେଲା ‘ଫୋର୍‌ ଇଡିଅଟସ୍‌’ । ଏଥିରେ ବି ସବ୍ୟସାଚୀଙ୍କ ସାଙ୍ଗ ଭୂମିକାରେ ନଜର ଆସିବେ ପପୁ ପମ୍‌ପମ୍‌ ।

ସମ୍ବନ୍ଧିତ ଖବର