ମୁମ୍ବାଇ: ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି। ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କ ସହ ଗୋଟିଏ ଫଟୋ ଉଠାଇବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ। ହେଲେ ଏବେ ଗୋଟିଏ ସେଲଫି ଦେବା ପାଇଁ ଉର୍ଫି ଟଙ୍କା ମାଗିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ, ଉର୍ଫି ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ଘେରିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଥିଲେ ଯେ ଏବେ ଏତେ ବଡ଼ ବଡ଼ କାର୍ଯ୍ୟକ୍ରମରେ ଯୋଗଦେବା ଅର୍ଥ ହେଉଛି ଆପଣ ଧନୀ ହୋଇସାରିଛନ୍ତି। ଏହା ଶୁଣି ଉର୍ଫି କହିଥିଲେ ଯେ ସେ ପୂର୍ବରୁ ଧନୀ ଥିଲେ, ତାଙ୍କ ଆକାଉଣ୍ଟରେ କେବଳ ଟଙ୍କା ନଥିଲା। ସେ ମନରେ ଧନୀ ଥିଲେ। ଅନ୍ୟପକ୍ଷରେ, ଉର୍ଫିଙ୍କୁ ଦେଖି କିଛି ପ୍ରଶଂସକ ତାଙ୍କ ସହ ସେଲଫି କ୍ଲିକ୍ କରିବାକୁ ଆସିଥିଲେ, ଯାହାକୁ ଦେଖି ଅଭିନେତ୍ରୀ ଏକ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ, ଟଙ୍କା ବାହାର କର। ମୁଁ ଏଭଳି ସେଲଫି ପାଇଁ ଟଙ୍କା ନେଇ ଧନୀ ହେବି।' ୧୦ଟି ଫଟୋ କ୍ଲିକ୍ କରିବା ପାଇଁ ଉର୍ଫି ପ୍ରଶଂସକଙ୍କୁ ୧୦୦ଟଙ୍କା ମାଗିଥିଲେ। ତେବେ ଉର୍ଫି ଥଟ୍ଟା କରି ଏଭଳି କହିଥିବା ବେଳେ ପରେ ସେ ସମସ୍ତଙ୍କ ସହ ଫଟୋ କ୍ଲିକ୍ କରିଥିବା ଦେଖାଯାଇଥିଲା।