କଙ୍ଗନାଙ୍କୁ ଉର୍ମିଳାଙ୍କ ଜବାବ

ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ‘ସଫ୍ଟ ପର୍ନ ଷ୍ଟାର’ କଟାକ୍ଷର ଜବାବ ରଖିଛନ୍ତି ଉର୍ମିଳା ମାତୋନ୍ଦକର। କଙ୍ଗନାଙ୍କ ଏଭଳି ମନ୍ତବ୍ୟ ପରେ ବଲିଉଡ୍‌ର ବହୁ କଳାକାର ଉର୍ମିଳାଙ୍କ ସମର୍ଥନରେ ବାହାରିଥିବା ବେଳେ ଅନେକ ପ୍ରଶଂସକ ବି କଙ୍ଗନାଙ୍କ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି। ସମର୍ଥନ ପାଇଁ ଉର୍ମିଳା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ଏକ ନିର୍ଦ୍ଦିଷ୍ଟ ସୀମା କେବେ ବି ଅତିକ୍ରମ କରିବା ଉଚିତ ନୁହେଁ। ଯେଉଁ ଇଣ୍ଟଷ୍ଟ୍ରି ଆଜି ତୁମକୁ ନାମ ଓ ପରିଚୟ ଦେଇଛି, ସଫଳତା ଓ ଦର୍ଶକୀୟ ଆଦୃତି ଦେଇଛି, ତାକୁ ହିଁ ଲଗାତାର ସମାଲୋଚନା କରିବା, କଟାକ୍ଷ କରିବା ଉଚିତ୍‌ ନୁହେଁ। ଯଦି କିଛି ଲୋକ ଡ୍ରଗ୍ସ୍‌ ସେବନ କରୁଛନ୍ତି, ତାଙ୍କୁ ମାଫିଆଙ୍କ ସହ ତୁଳନା କରିବାର ଆମର କୌଣସି କାରଣ କିମ୍ବା ଅଧିକାର ନାହିଁ। ଯେତେବେଳେ କଙ୍ଗନା ଜନ୍ମ ବି ହୋଇନଥିବେ ତାହା ପୂର୍ବରୁ ଜୟା ବଚ୍ଚନ ବଲିଉଡ୍‌ରେ ଅଛନ୍ତି। କେଉଁ ଭାରତୀୟ ସଂସ୍କୃତି ଆମକୁ ଏମିତି ଭା‌ବେ ବଡ଼ମାନଙ୍କର ଅପମାନ କରିବାକୁ କହିଛି? ଉର୍ମିଳା ଆହୁରି କହିଛନ୍ତି, ବିଏମ୍‌ସି କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ମୁଁ ଏହାର ଘୋର ବିରୋଧ ଓ ନିନ୍ଦା ବି କରୁଛି। ମୁଁ ‌ତ’ କେବଳ କଙ୍ଗନାଙ୍କୁ ଦିଆଯାଉଥିବା ୱାଇ (+) ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଥିଲି। କାରଣ ଏହାର ବିଲ୍‌ ସାଧାରଣ ଲୋକଙ୍କ ଟ୍ୟାକ୍ସରୁ ହିଁ ଭରାଯା‌ଇଥାଏ।

ସମ୍ବନ୍ଧିତ ଖବର