ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ବିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବେଳେବେଳେ ଅନ୍ୟ କାରଣ ପାଇଁ ସେ ଲାଇମ୍ ଲାଇଟକୁ ଆସନ୍ତି। ଗତବର୍ଷ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ଅଭିନେତ୍ରୀଙ୍କୁ ଠେଲି ଦେଉଥିବା ଦେଖାଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା।
କିଛି ଦିନ ତଳେ ତାଙ୍କ ଫିଲ୍ମ ଡାକୁ ମହାରାଜର ଏକ ଗୀତକୁ ନେଇ ଟ୍ରୋଲ ହୋଇଥିଲେ ନନ୍ଦମୁରୀ। ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଭିନେତ୍ରୀ ଉର୍ବଶୀ ରାଉତେଲା ଫିଲ୍ମ ଡାକୁ ମହାରାଜରେ ଏକାଠି ନଜର ଆସିଥିଲେ। ଏହି ଫିଲ୍ମର ଏକ ଗୀତ ଦାବିଡି ଦିବିଡ଼ି ରିଲିଜ୍ ହେବା ପରେ ଏହାର କୋରିଓଗ୍ରାଫି କାହାକୁ ପସନ୍ଦ ଆସିନଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଏତେ ବୟସ୍କ ହୋଇ ନନ୍ଦମୁରୀ କିଭଳି ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ଏଭଳି ନାଚିପାରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହା ସହ କିଛି ଲୋକ ଏହାକୁ ଆଶ୍ଲୀଳ ବୋଲି ମଧ୍ୟ କହିଥିଲେ। ଏବେ ଏହା ଉପରେ ଉର୍ବଶୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ସେ କହିଛନ୍ତି, "ସଫଳତା ଅନେକ ସମାଲୋଚନାକୁ ଆମନ୍ତ୍ରଣ କରେ ଏବଂ ମୁଁ ବୁଝିଛି ଯେ ଆଲୋଚନା ଏବଂ ଭିନ୍ନ ମତ ସଫଳତା ଯାତ୍ରାର ଏକ ଅଂଶ। ନନ୍ଦମୁରୀଜୀଙ୍କ ସହିତ କରିଥିବା ନୃତ୍ୟ କଥା କହିବାକୁ ଗଲେ, ତାଙ୍କ ପରି ଜଣେ ବରିଷ୍ଠ କଳାକାରଙ୍କ ସହିତ କାମ କରିବା ମୋର ସୌଭାଗ୍ୟ ଥିଲା। ନନ୍ଦମୁରୀ ସାରଙ୍କ ସହିତ ନୃତ୍ୟ ମୋ ପାଇଁ କେବଳ ଏକ ନୃତ୍ୟ ନଥିଲା; ଏହା କଳା ଓ କଠିନ ପରିଶ୍ରମ ପ୍ରତି ସମ୍ମାନ ଥିଲା। ତାଙ୍କ ସହିତ କାମ କରିବା ସ୍ୱପ୍ନ ସାକାର ହେବା ଭଳି।"