ଭୁବନେଶ୍ୱର :ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କୁ ବ୍ରେକ୍ ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର। ୧୯୯୮ରେ ମୁକ୍ତିଲାଭ କରିଥିବା ଯେଉଁ ସିନେମାରୁ ଏହି ଅଭିନେତ୍ରୀ ଜଣକ ନାୟିକାଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ତାହା ହେଲା ‘ବୋଉ’।ହଁ ଏଠାରେ ଯେଉଁ ଅଭିନେତ୍ରୀଙ୍କ କଥା କୁହାଯାଉଛି,ସେ ହେଲେ ଉଷସୀ ମିଶ୍ର।
‘ବୋଉ’ପରେ ଉଷସୀ ମିଶ୍ର ରହିଛି ରହିବି ତୋ’ରି ପାଇଁ,ଧର୍ମର ହେବ ଜୟ,କାଶିଆ କପିଳା ଓ ବହୁଡ଼ିବେ ମୋ’ ଜଗାବଳିଆ ସମେତ ବେଶ୍ କେତୋଟି ଛବିରେ ନାୟିକା ଭୂମିକା ନିଭାଇଥିଲେ। ସମୟକ୍ରମେ ସେ ଚରିତ୍ର ଅଭିନୟକୁ ବି ଆଦରି ନେଇଥିଲେ। ଉଷସୀ ମିଶ୍ରଙ୍କୁ ‘ଜୟ ଶ୍ରୀରାମ’,ଏ ଯୁଗର କୃଷ୍ଣ ସୁଦାମା,ସଂଜୁ ଆଉ ସଂଜନା ଓ ତୁ ଥା ମୁଁ ଯାଉଛି ରୁଷି ସମେତ କେତେକ ଓଡ଼ିଆ ଛବିରେ ଚରିତ୍ର ଅଭିନେତ୍ରୀଭାବେ ଦେଖିବାକୁ ପାଇଛନ୍ତି ଦର୍ଶକ।
ତେବେ ଗତ ବର୍ଷ ଉଷସୀ ମିଶ୍ରଙ୍କୁ କୌଣସି ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନଥିଲା। ଅବଶ୍ୟ ସେ ଯାତ୍ରା ଜଗତରେ ସକ୍ରିୟ ଅଛନ୍ତି। ଯାତ୍ରାରେ ବ୍ୟସ୍ତତା ହେତୁ ଉଷସୀ କମ୍ ସିନେମାରେ ଅଭିନୟ କରୁଛନ୍ତି ଗତ କିଛି ବର୍ଷ ହେବ।
ହେଲେ ଉଷସୀଙ୍କ ପ୍ରଶଂସକମାନଙ୍କ ପାଇଁ ସୁଖବର ଯେ, ତାଙ୍କୁ ଏବର୍ଷ ବଡ଼ ପରଦାରେ ଦେଖିବାକୁ ମିଳିବ। ହଁ ,ଉଷସୀ ମିଶ୍ରଙ୍କ ଅଭିନୀତ ଯେଉଁ ସିନେମା ଏବେ ରିଲିଜ୍ ଅପେକ୍ଷାରେ ରହିଛି,ତାହା ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ। ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀତମ ଦାସ ଓ ଅଶୋକ କୁମାର ଦାସ ଏହାର ପ୍ରଯୋଜକ। ଏଥିରେ ଉଷସୀ ମିଶ୍ରଙ୍କୁ ଏକ ବଳିଷ୍ଠ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। କାହାଣୀ ଅନୁଯାୟୀ ଏହି ସିନେମାରେ ଉଷସୀ ମିଶ୍ର ନାୟିକା ରୀୟା ଦେଙ୍କ ମାଆ ଭୂମିକାରେ ଅଛନ୍ତି। ଏତଦ୍ବ୍ୟତୀତ ସିଦ୍ଧାନ୍ତ,ପପୁ ପମ୍ପମ୍,ଶ୍ରୀତମ ଦାସ,ଅମର , ଗୁଡ଼ୁ ଓ ନବାଗତ ମୁନ୍ନା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଏତଦବ୍ୟତୀତ ଅନ୍ୟ ଏକ ସିନେମାରେ ବି ଆସୁଛନ୍ତି ଉଷସୀ ମିଶ୍ର । ସେହି ସିନେମାର ଟାଇଟଲ ହେଲା ‘ବାବାଜୀକା ଠୁଲୁ’। ଏହାର ନିର୍ଦ୍ଦେଶକ ହେଲେ ରଞ୍ଜନ ମିଶ୍ର। ଏଦୁଇ ସିନେମାରେ ଉଷସୀ କି କମାଲ୍ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।