ମୁମ୍ବାଇ: ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଉତ୍ତରା ବାୱକରଙ୍କ ଦେହାନ୍ତ। ୭୯ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତରା। ଗତ ଏକ ବର୍ଷ ଧରି ସେ ରୋଗରେ ପୀଡିତ ଥିଲେ। ଅସୁସ୍ଥତା ସହ କିଛି ମାସ ଲଢ଼ିବା ପରେ ଏପ୍ରିଲ ୧୧ ମଙ୍ଗଳବାର ଦିନ ପୁଣେର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏପ୍ରିଲ ୧୨ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଅଭିନେତ୍ରୀଙ୍କ ପରିବାର ସହ ଜଡିତ ଜଣେ ବ୍ୟକ୍ତି ଏହି ସୂଚନା ଦେଇଛନ୍ତି।
ଅଭିନେତ୍ରୀ ଉତ୍ତରା ବାୱକର ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ଅଭିନୟ ଶିଖିଥିଲେ। ସେ ଅନେକ ଥିଏଟର ନାଟକରେ ମଧ୍ୟ କାମ କରିଥିଲେ। 'ମୁଖ୍ୟମନ୍ତ୍ରୀ', 'ମୀନା ଗୁର୍ଜରୀ', ସେକ୍ସପିୟରଙ୍କ ଦ୍ୱାରା ଲିଖିତ 'ଓଥେଲୋ' ଏବଂ ଗିରିଶ କର୍ନାଡଙ୍କ ଦ୍ୱାରା ଲିଖିତ 'ତୁଗଲକ୍' ଭଳି ନାଟକରେ ସେ ଅଭିନୟ କରିଥିଲେ। ଏହି ସମସ୍ତ ନାଟକରେ ଅଭିନୟ କରି ଉତ୍ତରା ତାଙ୍କର ଅଭିନୟ ପ୍ରତିଭାକୁ ପ୍ରମାଣ କରିଥିଲେ। ଥିଏଟରରେ ଭଲ କାମ କରିଥିବାରୁ ତାଙ୍କୁ ୧୯୮୪ରେ ସଂଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା।
ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ତାଙ୍କୁ ନିର୍ଦ୍ଦେଶକ ଗୋବିନ୍ଦ ନିହଲାନୀଙ୍କ ଫିଲ୍ମ 'ତମସ୍'ରୁ ପରିଚୟ ମିଳିଥିଲା। ଏହା ପରେ ନିର୍ଦ୍ଦେଶକ ମୃଣାଲ ସେନଙ୍କ ଫିଲ୍ମ 'ଏକ ଦିନ୍ ଅଚାନକ'ରେ ସେ କାମ କରିଥିଲେ। ଏଥିରେ ତାଙ୍କର ପ୍ରଦର୍ଶନକୁ ବହୁତ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ପରେ ସେ ସରଦାରୀ ବେଗମ୍, କୋରା କାଗଜ୍, ଆଜା ନଚଲେ, ହମ୍ କୋ ଦିୱାନା କର ଗଏ, ରୁକମତି କି ହବେଲି, ଥକକ୍ଷକ ଫିଲ୍ମରେ କାମ କରିଥିଲେ ।
୯୦ଦଶକରେ ଉତ୍ତରା ଟିଭି ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଧାରାବାହିକ ଥିଲା 'ଉଡାନ'। ଏହା ବ୍ୟତୀତ ସେ 'ଅନ୍ତରାଲ', 'ନଜରାନା', 'ଜସି ଜୈସି କୋଇ ନେହିଁ', 'କସମକସ ଜିନ୍ଦେଗୀ କି', 'ଜବ ହୁଆ ପ୍ୟାର' ଏବଂ 'ରିସ୍ତେ'ରେ ଅଭିନୟ କରିଥିଲେ। 'ଜସି ଜୈସି କୋଇ ନେହିଁ' ଟିଭି ସୋ’ରେ ତାଙ୍କୁ ଅଭିନେତ୍ରୀ ମୋନା ସିଂଙ୍କ ଜେଜେମା’ଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସୋ’ ବହୁତ ଲୋକପ୍ରିୟ ହୋଇଥିଲା।