ମୁମ୍ବାଇ: କାର୍ ଦୁର୍ଘଟଣା ଯୋଗୁ ଲୋକପ୍ରିୟ ଟେଲିଭିଜନ୍ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମଙ୍ଗଳବାର ସକାଳେ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଏବେ ବି ଜାରି ରହିଛି। ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ଅଭିନେତ୍ରୀ ଦୁର୍ଘଟଣା ପରେ ନିଜ ଜୀବନ ବଞ୍ଚାଇବାକୁ ଖୁବ୍ ଚେଷ୍ଟା କରି ମଧ୍ୟ ବଞ୍ଚାଇ ପାରିନଥିଲେ। ସେ ଦୁର୍ଘଟଣା ଘଟିବା ପରେ କାର୍ର କାଚ ଦେଇ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ।
ମାତ୍ର ସେହି ସମୟରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଗଲା। କେବଳ ସେତିକି ନୁହେଁ, ଅଭିନେତ୍ରୀ ସିଟ୍ ବେଲ୍ଟ ବି ପିନ୍ଧିନଥିଲେ ଦୁର୍ଘଟଣା ସମୟରେ। ଚର୍ଚ୍ଚା ହେଉଛି ଯେ ହୁଏତ ବେଲ୍ଟ ପିନ୍ଧିଥିଲେ ତାଙ୍କ ଜୀବନ ବଞ୍ଚି ଯାଇପାରିଥାନ୍ତା।
‘ସାରାଭାଈ ଭର୍ସେସ୍ ସାରାଭାଈ’ରେ ବୈଭବୀ ଜାସ୍ମିନ୍ ଚରିତ୍ରରେ ଅଭିନୟ କରି ସେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ। ଭ୍ରମଣପ୍ରିୟା ବୈଭବୀ ଭାବୀ ସ୍ବାମୀଙ୍କ ସହିତ ହିମାଚଳ ପ୍ରଦେଶରେ ଭ୍ରମଣ କରୁଥିବା ବେଳେ ସେମାନଙ୍କ କାର୍ ଗୋଟାଏ ପାହାଡ଼ ଉପତ୍ୟକାରୁ ତଳକୁ ଖସିପଡ଼ିବାରୁ ଉଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ମିଳିଥିବା ସୂଚନାନୁସାରେ ମଙ୍ଗଳବାର ସକାଳେ ମୃତ୍ୟୁବରଣ କରିଥିବା ୩୨ ବର୍ଷୀୟ ବୈଭବୀଙ୍କ ଶବ ମୁମ୍ବାଇକୁ ଆଣିବା ଲାଗି ତାଙ୍କ ପରିବାର ଚଣ୍ଡୀଗଡ଼ ଯାଇଥିଲେ। ବୁଧବାର ପୂର୍ବାହ୍ନରେ ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
‘ସାରାଭାଈ ଭର୍ସେସ୍ ସାରାଭାଈ’ ବ୍ୟତୀତ ବୈଭବୀ ‘କ୍ୟା କଶୁର୍ ହୈ ଅମ୍ଲା କା’, ଡିଜିଟାଲ୍ ସିରିଜ୍ ‘ପ୍ଲିଜ୍ ଫାଇଣ୍ଡ୍ ଆଟାଚ୍ଡ୍’, ଦୀପିକା ପାଦୁକୋନ୍ଙ୍କ ‘ଛପାକ୍’ ଏବଂ ୨୦୨୩ ଚଳଚ୍ଚିତ୍ର ‘ତିମିର’ରେ ମଧ୍ୟ ସେ ଅଭିନୟ କରିଛନ୍ତି। ଗୁଜରାଟୀ ଥିଏଟର୍ ସମାଜରେ ତାଙ୍କର ଖୁବ୍ ସୁନାମ ଅଛି।