ମୁମ୍ବାଇ: ଗିରଫ ପରେ ୪ଦିନ ପୁଲିସ ରିମାଣ୍ଡରେ ଗଲେ ରାହୁଲ ନବଲାନୀ। ଜୀବନ ହାରିବା ପାଇଁ ଉସୁକାଇଥିବାରୁ ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କରଙ୍କ ପୂର୍ବ ପ୍ରେମିକ ରାହୁଲ ନବଲାନୀ ଓ ତ‌ାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଦୁହିଁଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି କରାଯାଇଥିଲା। ଏବେ ରାହୁଲଙ୍କୁ ଗିରଫ କରାଯିବା ପରେ ତାଙ୍କୁ ୪ଦିନିଆ ପୁଲିସ ରିମାଣ୍ଡକୁ ପଠାଯାଇଥିବା ଜଣାପଡ଼ିଛି। ଅକ୍ଟୋବର ୧୯ରେ ରାହୁଲଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ କଡ଼ା ସୁରକ୍ଷା ମଧ୍ୟରେ ରାହୁଲଙ୍କୁ ଇନ୍ଦୋର ପୁଲିସ କୋର୍ଟରେ ହାଜର କରିଥିଲା। ପୁଲିସ ରାହୁଲଙ୍କୁ ୧୦ଦିନ ରିମାଣ୍ଡରେ ନେବାକୁ ଚାହୁଁଥିବା ବେଳେ ୪ଦିନ ପାଇଁ ଅନୁମତି ମିଳିଥିବା ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ବୈଶାଲୀ ନିଜ ମୃତ୍ୟୁ ପାଇଁ ପୂର୍ବ ପ୍ରେମିକ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଦାୟୀ କରିଥିଲେ। ବୈଶାଲୀଙ୍କ ସୁଇସାଇଡ ନୋଟକୁ ଆଧାର କରି ଏବେ ପୁଲିସ ବୈଶାଲୀଙ୍କ ପଡୋଶୀ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଅକ୍ଟୋବର ୨୦ ତାରିଖରେ ବୈଶାଲୀଙ୍କ ବିବାହ ହୋଇଥାନ୍ତା। ମିଥେଶଙ୍କୁ ବିବାହ କରିଥାନ୍ତେ ସେ। ମିଥେଶ ହେଉଛନ୍ତି କାଲିଫର୍ଣ୍ଣିଆସ୍ଥିତ ସଫ୍ଟୱେୟାର୍‌ ଇଞ୍ଜିନିୟର୍‌। ମାତ୍ର କେଉଁଠି ନା କେଉଁଠି ବୈଶାଲୀଙ୍କ ମନରେ ଭୟ ଥିଲା ଯେ ପୂର୍ବଥର ପରି ଏଥର ବି ତାଙ୍କ ପୂର୍ବ ପ୍ରେମିକ ତାଙ୍କ ବିବାହରେ ବାଧା ଉପୁଜାଇବେ। କା‌ରଣ ପୂର୍ବରୁ ରାହୁଲଙ୍କ କାରଣରୁ ବୈଶାଲୀଙ୍କର କେନିଆରେ ରହୁଥିବା ଡାକ୍ତର ଅଭିନନ୍ଦନ ସିଂହଙ୍କ ସହ ବିବାହ ଭାଙ୍ଗିଥିଲା। ରାହୁଲ ବୈଶାଲୀଙ୍କ କିଛି ଫଟୋ ଏବଂ ଭିଡିଓ ଅଭିନନ୍ଦନଙ୍କୁ ପଠାଇବା ପରେ ତାଙ୍କର ବିବାହ ଭାଙ୍ଗିଥିଲା। ଏଥର ମଧ୍ୟ ମିଥେଶଙ୍କ ସହ ବୈଶାଲୀଙ୍କ ବିବାହ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ ରାହୁଲ। ଏହି କାରଣରୁ ବୈଶାଲୀ ଜୀବନ ହାରିଥିଲେ।