ବାଣୀଙ୍କୁ ଓଡ଼ିଆ ସିନେସଂଗୀତକୁ ଆଣିଥିଲେ ପ୍ରଫୁଲ୍ଲ, ଅକ୍ଷୟଙ୍କ ସହ ଗାଇଥିଲେ କେବଳ ଗୋଟିଏ ଡୁଏଟ୍

ଆପଣ  ଓଡ଼ିଆ  ବୁଝନ୍ତି? ଏ ପ୍ରଶ୍ନରେ ବାଣୀଙ୍କ ଉତ୍ତର ଥିଲା ଏମିତି- ‘ବୁଝେନି ଯଦି ଗୀତ ଗାଏ କେମିତି ?’

ଭୁବନେଶ୍ବର : ସ୍ବକୀୟ ସଂଗୀତ ପ୍ରତିଭା ଲାଗି ଦେଶବିଦେଶରେ ପ୍ରସିଦ୍ଧି ଅର୍ଜନ କରିଥିବା ବାଣୀ ଜୟରାମ କିନ୍ତୁ ଆମ ଓଡ଼ିଆଙ୍କର ବେଶ୍ ନିଜର।  ଓଡ଼ିଶା ସଂଗୀତ ପରିସରରେ ସେ ବେଶ ପରିଚିତ, ବହୁ ଲୋକପ୍ରିୟ ଓଡ଼ିଆଗୀତର ଗାୟିକା । ନୂଆପିଢିର ଶ୍ରୋତାଙ୍କ ପାଇଁ ସେ ସ୍ପଳ୍ପ ପରିଚିତ ମନେହେଉଥିଲେ ହେଁ, ସତୁରି ଓ ଅଶୀଦଶକର ଓଡିଆ ସିନେ-ଗୀତିରେ ରୁଚି ରଖୁଥିବା ସମସ୍ତ ସଂଗୀତ ଅନୁରାଗୀଙ୍କ ପାଇଁ  ଚିରସ୍ମରଣୀୟ । କେବଳ ଓଡିଆ ସଂଗୀତ ବା ଶ୍ରୋତାଙ୍କର ସେ ଅତି ପ୍ରିୟ ନୁହନ୍ତି, ତାମିଲ, ତେଲଗୁ, କନ୍ନଡ ଏବଂ ମାଲାୟଲମ୍ ଭଳି ଦକ୍ଷିଣ ଭାରତୀୟ ଓ ମରାଠୀ, ଗୁଜରାଟି, ମାରୱାଡ଼ି ଓ ଭୋଜପୁରୀ ଆଦି ଉତ୍ତର ଭାରତୀୟ ଭାଷାର ଶ୍ରୋତାଙ୍କର ମନ ବି ଜିଣିଛନ୍ତି କୋକିଳକଣ୍ଠୀ ବାଣୀ ଜୟରାମ। ଆଜି ତାଙ୍କର ବିୟୋଗ ସୃଷ୍ଟି କରିଛି ଏକ ଅପୂରଣୀୟ ଶୂନ୍ୟସ୍ଥାନ।

ସିନେସଂଗୀତରେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସକ୍ରିୟ ରହିବା ପରେ ବିଗତ କିଛି ଦଶନ୍ଧି ଧରି ବାଣୀ ଜୟରାମ୍ ଭକ୍ତି ସଂଗୀତରେ ମନୋନିବେଶ କରିଥିଲେ । ସଂପ୍ରତି ସେ ଦେଶ-ବିଦେଶରେ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ସନ୍ଥ ତୁଳସୀ ଦାସ, କବୀର, ସୁରଦାସ, ମୀରାବାଇ, ତୁକାରାମ, ଆନ୍ନାମାୟା, ପୁରେନ୍ଦ୍ର  ଦାସା, ଭରତିୟାର ଏବଂ ଶ୍ରୀଜୟଦେବଙ୍କ ଭଳି ପ୍ରାଚୀନ କବିଙ୍କର ରଚନାକୁ ଲୋକପ୍ରିୟ କରାଉଥିଲେ ।ଏହି ଉଦ୍ୟମ ଯୋଗୁ ତାଙ୍କୁ ଏବର ମୀରା ବୋଲି କହାଯାଉଥିଲା।  ନିଜ ସଂଗୀତ ଜୀବନରେ ୧୦,୦୦୦ରୁ ଉର୍ଦ୍ଧ୍ବ ଗୀତ ଗାଇଥିବା ବାଣୀ ଜୟରାମ ମହାକୁମ୍ଭ, ବଦ୍ରିକେଦାର ଉତ୍ସବ, ଗଙ୍ଗା ମହୋତ୍ସବ, ମୀରା ଉତ୍ସବ ଏବଂ ସ୍ୱାମୀ ହରିଦାସ ସଂଗୀତ ସମ୍ମେଳନ ଭଳି ଦେଶର ସମ୍ମାନଜନକ ମଂଚରେ ନିଜର ସାଂଗୀତିକ ପରାକାଷ୍ଠା ପ୍ରଦର୍ଶନ କରିସାରିଛନ୍ତି ।  ସଂପ୍ରତି ଏହି ମହାନ ଗାୟିକାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ବାଣୀ ଜୟରାମ ଓଡିଆ ସିନେ ସଂଗୀତର ଜଣେ ସଫଳ ଗାୟିକା । ଭଜନ, ଡୁଏଟ ଠାରୁ ଆରମ୍ଭ କରି ସିରିଓ ପର୍ଯ୍ୟନ୍ତ ସବୁ ଶୈଳୀର ଗୀତ ତାଙ୍କ କଣ୍ଠରେ ଜୀବନ୍ତ ହୋଇ ଉଠିଛି । ‘ଶେଷ ଶ୍ରାବଣ’ର “ମେଘ ବରଷିଲା ଟୁପୁର ଟାପୁର..’, କିମ୍ବା “ଗୌରୀ’ର “ଏଇ ଗାଁର ମଉଡମଣୀ ଗୋ ଆମ ଗୌରୀ ନାନୀ…’ ଭଳି ଲୋକସଂଗୀତ ଶୈଳୀର ଗୀତ ବାଣୀ ଜୟରାମ ଖୁବ୍ ସୁନ୍ଦର ପରିସ୍ଫୁଟିତ କରିଛନ୍ତି । ସେଇପରି  ‘ମୁକ୍ତି’ର ‘ମାଗୋ ମମତାମୟୀ ମାତା’ ଓ “ଯୋଗୀରେ ଖୋଜୁ କାହିଁ’ ଆଦି ଭାବଗମ୍ଭୀର ଗୀତ ସେ ନିପୁଣତାର ସହ ଉପସ୍ଥାପିତ କରିଛନ୍ତି । ସେ ଗାଇଥିବା ‘ସିନ୍ଦୂର ବିନ୍ଦୁ’ ଚଳଚିତ୍ରର “କେଉଁ ନାମ ଧରି ଡାକିବି ତୁମକୁ’ ଓ “ବଳିଦାନ’ର “ଆହେ ଦୟାମୟ ବିଶ୍ୱ ବିହାରୀ’ ଓ ‘ତପସ୍ୟା’ର “ଢ଼ାଳିଦିଅ ସାରା ଧରଣୀରେ ଆଜି..’  ଭଳି ଉଚ୍ଚକୋଟୀର ଭଜନ ଏବେ ମଧ୍ୟ ଶ୍ରୋତାମନସକୁ ଉଦ୍ବେଳିତ କରେ । ବାଣୀ ଜୟରାମଙ୍କ ଅଧିକାଂଶ ଗୀତର ସଂଗୀତ ନିର୍ଦେଶକ ହେଉଛନ୍ତି ସ୍ୱର୍ଗତଃ ପ୍ରଫୁଲ କର । ତେବେ ସ୍ୱର୍ଗତଃ ଅକ୍ଷୟ ମହାନ୍ତିଙ୍କ ସହ ସେ କେବଳ ଗୋଟିଏ ଗୀତ ପାଇଁ କଣ୍ଠଦାନ କରିଥିଲେ, ତାହା ହେଉଛି ‘ପୂଜା’ ଚଳଚିତ୍ରର “ହିପ୍ ହିପ୍ ହୁରେ, ଗାଡି ଯାଏ ଗଡିରେ…’ ଏବଂ ଏହି ଗୀତର ସ୍ବରକାର ଥିଲେ ପ୍ରଫୁଲ୍ଲ କର। ଓଡ଼ିଆ ଫିଲ୍ମ “ଦେବଯାନୀ’ରେ କଣ୍ଠଦାନ ପାଇଁ ବାଣୀ ଜୟରାମ ୧୯୮୨ ମସିହାରେ ରାଜ୍ୟ ଚଳଚିତ୍ର ପୁରସ୍କାର ଲାଭ କରିଥିଲେ । ଓଡ଼ିଆ ଫିଲ୍ମ ସଂଗୀତକୁ ନିଜ ପ୍ରବେଶ ସଂପର୍କରେ ସେ କହିଥିଲେ, “ପ୍ରଫୁଲ୍ଲଜୀ ହିଁ ମୋତେ ଓଡିଆ ଫିଲ୍ମ ଜଗତକୁ ଆଣିଛନ୍ତି । ତାଙ୍କ ନିର୍ଦ୍ଦେଶନାରେ ମୁଁ ପ୍ରାୟ ୫୦ଟି ଭଳି ଗୀତ ଗାଇଛି ।’ ଆପଣ କ’ଣ ଓଡ଼ିଆ ଭାଷା ବୁଝନ୍ତି? ଏ ପ୍ରଶ୍ନରେ ଏକଦା  ବାଣୀ ଜୟରାମ୍  କହିଥିଲେ, “ବୁଝେନି ଯଦି ଗୀତ ଗାଏ କେମିତି?’

ତେବେ ହିନ୍ଦୀ ଫିଲ୍ମ ଦୁନିଆରେ ତାଙ୍କର ପାଦଚିହ୍ନ ସ୍ପଷ୍ଟ ଏବଂ ଉଜ୍ଜ୍ୱଳ ।  ନୌଶାଦ୍, ମଦନ ମୋହନ, ଓ.ପି. ନାୟାର, ଆର୍.ଡି ବର୍ମନ୍, କଲ୍ୟାଣଜୀ ଆନନ୍ଦଜୀଙ୍କ ଭଳି ଲୋକପ୍ରିୟ ତଥା ଶୀର୍ଷ ଶ୍ରେଣୀୟ ସଂଗୀତ ନିର୍ଦ୍ଦେଶକଙ୍କ ସ୍ୱରାରୋପିତ ଗୀତରେ ସେ କଣ୍ଠଦାନ କରିଛନ୍ତି । ଅତୀତର ସ୍ମୃତି ବଖାଣି ଥରେ ବାଣୀ ଜୟରାମ କହିଥିଲେ, “ସତୁରୀ ଦଶକର କଥା । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବସନ୍ତ ଦେଶାଇ ହିଁ ମତେ ପ୍ରଥମେ ଫିଲ୍ମରେ ସୁଯୋଗ ଦେଇଥିଲେ । ତାଙ୍କ ନିର୍ଦ୍ଦେଶନାରେ ମୁଁ ମରାଠୀ ସିନେମାରେ ଗାଇବା ଆରମ୍ଭ କରିଥିଲି । ତା’ପରେ ହୃଷୀକେଶ ମୁଖାର୍ଜୀଙ୍କ “ଗୁଡ୍ଡି’ରେ ବସନ୍ତ ଜୀ ସଂଗୀତ ନିର୍ଦ୍ଦେଶନାର ଦାୟିତ୍ୱ ନେଲେ । ମୋ ଉପରେ ତାଙ୍କର ଥିଲା ଖୁବ୍ ଭରଷା, ତେଣୁ ସେ ଫିଲ୍ମର ସବୁତକ ଗୀତ ମୋ କଣ୍ଠରେ ରେକର୍ଡ କରାଇଥିଲେ । ଏଥିରେ ମୁଁ ଗାଇଥିବା  “ବୋଲରେ ପପି ହାରା’ ସୁପରହିଟ୍ ହୋଇଗଲା । ତା’ପରେ ଆଉ ମତେ ପଛକୁ ଫେରି ଚାହିଁବାକୁ ପଡିନାହିଁ ।’ “ଗୁଡ୍ଡି’ ଫିଲ୍ମର ଏହି ଗୀତ ବାଣୀ ଜୟରାମଙ୍କୁ ସମଗ୍ର ଦେଶର କୋଣ ଅନୁକୋଣରେ ପରିଚିତି ଆଣି ଦେଇଥିଲା ।

ରାଜ୍ୟ କିମ୍ବା ଦେଶର ସୀମା ଭିତରେ ସୀମିତ ହୋଇନାହିଁ ବାଣୀଙ୍କ କଳା । ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନ୍‌, ସ୍ୱିଜରଲ୍ୟାଣ୍ଡ, ନରୱେ, ମାଲେସିଆ, ସିଙ୍ଗାପୁର, ୟୁଏଇ, ଶ୍ରୀଲଙ୍କା, ବାହାରିନ୍ ଓ ନେପାଳ ଆଦି ଦେଶରେ ବିଭିନ୍ନ ସ୍ଥାନରେ ସେ ସଂଗୀତ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣିବାରେ ସଫଳତା ପାଇଛନ୍ତି । କୋକିଳକଣ୍ଠୀ ବାଣୀ ଜଣେ ସଂଗୀତଜ୍ଞ ହେବା ସହ ଚିତ୍ରକଳା ଓ ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି । ଏଥିସହ ଜଣେ ଗୀତିକାର ଭାବେ ସେ ବହୁ ଭାବଗର୍ଭକ ଗୀତିକବିତାର ମଧ୍ୟ ରଚୟିତା।

ସମ୍ବନ୍ଧିତ ଖବର