ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ ଅଭିନେତା, ପ୍ରଯୋଜକ ଓ ନିର୍ମାତା ସତୀଶ କୌଶିକଙ୍କ ମୃତ୍ୟୁ ସିନେମା ଦୁନିଆକୁ ଦୋହଲାଇ ଦେଇଥିଲା। ବିଶେଷ ଭାବେ ସତୀଶଙ୍କ ମୃତ୍ୟୁ ପରେ ତାଙ୍କ ୧୧ବର୍ଷର ଝିଅ ବଂଶିକା ବାପାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଏଯାଏଁ ବଂଶିକା ବାପାଙ୍କୁ ଝୁରିଝୁରି ପ୍ରତିଦିନ କାନ୍ଦୁଛନ୍ତି। କୌଣସି କାମରେ ତାଙ୍କ ମନ ଲାଗୁନାହିଁ। ଯେତେବେଳେ ବି ସମୟ ପାଉଛନ୍ତି ଫୋନରେ ଥିବା ବାପାଙ୍କ ଫଟୋକୁ ବାହାର କରି ଦେଖିଦେଖି ସମୟ କାଟୁଛନ୍ତି।
ଆଜି ଏପ୍ରିଲ ୧୩ ତାରିଖ ସତୀଶ କୌଶିକଙ୍କ ଜନ୍ମଦିନ। ଜନ୍ମଦିନରେ ତାଙ୍କ ସ୍ତ୍ରୀ, ଝିଅ ଓ ବନ୍ଧୁପରିଜନ ସତୀଶଙ୍କୁ ଖୁବ ମନେ ପକାଇଛନ୍ତି। ଏନେଇ ଅନୁପମ ଖେର ବି ବନ୍ଧୁ ସତୀଶଙ୍କ ପାଇଁ ଏଭ ଭାବବିହ୍ବଳ ଟୁଇଟ କରିଛନ୍ତି।
ବାପାଙ୍କ ଜନ୍ମଦିନରେ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ଝିଅ ବଂଶିକା । ବାପାଙ୍କୁ ମନେ ପକାଇ କାନ୍ଦୁଛନ୍ତି, ଯିଏ ଯେତେ ବୁଝାଇଲେ ବି ସେ ବୁଝୁ ନାହାନ୍ତି। କି ଭୁଲ ସେ କରିଥିଲେ କାହିଁକି ତାଙ୍କୁ ବାପା ଛାଡ଼ି ଚାଲିଗଲେ ବୋଲି ମା’ଙ୍କୁ ସେ ବାରମ୍ବାର ପ୍ରଶ୍ନ କରୁଛନ୍ତି। ଏମିତି କି ବାପାଙ୍କ ମୃତ୍ୟୁ ପରେ ସେ ସୋସିଆଲ ମିଡିଆ ବି ଛାଡ଼ି ଦେଇଛନ୍ତି।
ବଂଶିକାଙ୍କୁ ନେଇ ସତୀଶଙ୍କ ଝିଆରୀ କହିଛନ୍ତି, ‘ବଂଶିକା ଦାଦାଙ୍କୁ ମନେପକାଇ ପ୍ରତିଦିନ କାନ୍ଦୁଛନ୍ତି। ଗତକାଲି ସେ ଶୋଉ ନଥିଲେ। ଖୁଡି ତାଙ୍କୁ ବହୁତ ବୁଝାଇବା ପରେ ଯାଇ ସେ ବୁଝିଥିଲେ। ଏପ୍ରିଲ ୧୩ରେ ଦାଦାଙ୍କ ଜନ୍ମଦିନ ଥିବାରୁ ଖୁଡ଼ି ବି ଭାଙ୍ଗି ପଡ଼ିଛନ୍ତି।’