ହୃଦଘାତରେ ଲୋକପ୍ରିୟ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ମୃତ୍ୟୁ

ମୁମ୍ବାଇ: ଦୁନିଆରୁ ବିଦାୟ ନେଲେ ହିନ୍ଦୀ ଫିଲ୍ମର ଜଣାଶୁଣା ଅଭିନେତା ମିଥିଲେଶ ଚତୁର୍ବେଦୀ। ୬୮ବର୍ଷ ବୟସରେ ହୃଦଘାତ ହେବାରୁ ପାଇଁ ତାଙ୍କର ବୁଧବାର ଲକ୍ଷ୍ନୌରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଥିଲେଶଙ୍କ ଜ୍ବାଇଁ ଏହି ଖବରକୁ ନିଶ୍ଚିତ କରିବା ସହ ହଠାତ ତାଙ୍କ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା କହିଛନ୍ତି। ଲକ୍ଷ୍ନୌର ବାସିନ୍ଦା ମିଥିଲେଶ ଜଣେ ଅତି ସରଳ ବ୍ୟକ୍ତି ଥିଲେ। ସେ ତାଙ୍କ ଜୀବନରେ ବହୁତ ବିଳମ୍ବରେ ଅଭିନୟ ଆରମ୍ଭ କରିଥିଲେ। ମୁମ୍ବାଇ ଆସିବା ପୂର୍ବରୁ ସେ ଥିଏଟର କଳାକାର ଭାବରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ସେ ଦୀର୍ଘ ସମୟ ଧରି ସରକାରୀ କର୍ମଚାରୀ ମଧ୍ୟ ଥିଲେ।

ମିଥିଲେଶ ତାଙ୍କର ଏକ ସାକ୍ଷାତକାରରେ ଅଭିନୟର ଯାତ୍ରା କିଭଳି ଆରମ୍ଭ କରିଥିଲେ ସେ ବିଷୟରେ କହିଥିଲେ। ସେ କହିଥିଲେ ଯେ, ମୁଁ ନାଟକ କରୁଥିଲି। ନାଟକ କରିବା ସମୟରେ ମୁଁ ସାରା ଭାରତ ଭ୍ରମଣ କରିଥିଲି। ତା’ପରେ ମୁଁ ଭାବିଲି ଯେ ନଦୀ ବୁଲି ସାରିଲାଣି, ଏବେ ସମୁଦ୍ରରେ ଡେଇଁବା ଉଚିତ୍। ତେଣୁ ମୁଁ ମୁମ୍ବାଇ ଚାଲି ଆସିଥିଲି। ଏଠାକୁ ଆସିବା ଏବଂ କାମ ପାଇବା କଷ୍ଟକର ଥିଲା, କିନ୍ତୁ ମୁଁ ଭଗବାନଙ୍କ ନାଁ ନେଇ ଚେଷ୍ଟା ଜାରି ରଖିଥିଲି ଏବଂ ଶେଷରେ ସେ ମୋ କଥା ଶୁଣିଲେ। ବମ୍ବେକୁ ଆସିବା ପୂର୍ବରୁ ମୁଁ ଲକ୍ଷ୍ନୌରେ ଥିଏଟର କରୁଥିଲି। ଥିଏଟର ସହିତ ମୁଁ ସରକାରୀ ଚାକିରି ମଧ୍ୟ କରୁଥିଲି। ପ୍ରାୟ ୨୫ବର୍ଷ ସରକାରୀ ଚାକିରି କରିବା ପରେ ମୁଁ ସ୍ୱେଚ୍ଛାକୃତ ଅବସର ନେଇ ମୁମ୍ବାଇକୁ ଚାଲିଆସିଲି।

ତେବେ ତାଙ୍କୁ ଅନେକ ବଲିଉଡ ଫିଲ୍ମରେ ଦର୍ଶକ ଦେଖିଥିଲେ। ତାଙ୍କୁ ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’, ‘କ୍ରିଶ’ ଏବଂ ‘ରେଡି’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମ ‘କୋଇ ମିଲ ଗୟା’ରେ ତାଙ୍କର ଅଭିନୟକୁ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ହ୍ରିତିକ ରୋଶନଙ୍କ କମ୍ପ୍ୟୁଟର ଶିକ୍ଷକ ଭୂମିକାରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର