ଜଣେ ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଭିନେତ୍ରୀ ଜୀନତ ଅମାନ୍‌

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତ୍ରୀ ଜୀନତ ଅମାନ୍‌ ଅମର ଖାନ୍ନା ନାମକ ଜଣେ ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି । ସେ ମୁମ୍ବାଇ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ଅମର ଖାନ୍ନା ତାଙ୍କୁ ଗତ କିଛି ମାସ ହେବ ଅସଦାଚରଣ କରିବା ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରି ଆସୁଛନ୍ତି । ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୦୪ ଡି (ପିଛା କରିବା) ଏବଂ ୫୦୯ ( ମହିଳାଙ୍କ ନାରୀତ୍ୱକୁ ଅପମାନ କରିବା) ଅନୁଯାୟୀ ମାମଲା ରୁଜୁ କରିଛନ୍ତି ।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ଜୀନତ ଓ ଅମର ପରସ୍ପରକୁ କିଛି ଦିନ ହେବ ଜାଣିଥିଲେ । କିନ୍ତୁ କେତେକ ପ୍ରସଙ୍ଗରେ ଉଭୟ ମଧ୍ୟରେ ମନାନ୍ତର ହେବାରୁ ଜୀନତ୍‌ ଅମରଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ । କିନ୍ତୁ ତା’ପରେ ବି ଅମର ଖାନ୍ନା ଜୀନତଙ୍କୁ ଲଗାତର ଫୋନ୍‌ କରିବାରେ ଲାଗିଥିଲେ , ଯଦିଓ ଜୀନତ୍‌ ଫୋନ୍‌ ଉଠାଉ ନ ଥିଲେ । ଏଥିରେ କ୍ଷୁବ୍ଧ ହୋଇ ଅଭିନେତ୍ରୀ ଜୀନତ ଖାନ୍‌ ଅମର ଖାନ୍ନାଙ୍କ ବିରୁଦ୍ଧରେ ମୁମ୍ବାଇର ଜୁହୁ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସର ସୂଚନା ଅନୁଯାୟୀ ଅମର ଫେରାର ଅଛନ୍ତି। ତେବେ ତାଙ୍କୁ ଧରିବା ଲାଗି ପୁଲିସ ତନଘନା ଜାରି ରଖିଥିବା ଜଣାଯାଇଛି ।


ଏଠାରେ ସୂଚନାଯୋଗ୍ୟଯେ ସତୁରି ଓ ଅଶି ଦଶକର ଲୋକପ୍ରିୟ ନାୟିକା ଜୀନତ୍‌ ଅମାନ୍‌ ହରେ ରାମା ହରେ କୃଷ୍ଣା, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌, ୟାଦୋଁ କି ବାରାତ୍‌ , ହୀରା ପନ୍ନା, ଡନ୍‌, ମହାନ୍‌ ଏବଂ ଦୋସ୍ତାନା, ସମେତ ୫୦ ରୁ ଅଧିକ ହିନ୍ଦୀ ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ । ସେ ଅଭିନେତା ମଜହର ଖାନ୍‌ଙ୍କୁ ବିବାହ କରିଥିଲେ । ତେବେ ୧୯୮୮ରେ ମଜହରଙ୍କ ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର