ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଶୁକ୍ରବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବେଶ୍ କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନାଙ୍କ ମୃତ୍ୟୁ ଖବର ଆସିବା ପରେ ସିନେ-ଦୁନିଆରେ ଶୋକର ଛାୟା ଖେଳିଯାଇଛି।
ଯମୁନାଙ୍କ ଜନ୍ମ ୧୯୩୬, ୩୦ ଅଗଷ୍ଟରେ କର୍ଣ୍ଣାଟକର ହାମ୍ପିରେ ହୋଇଥିଲା। ପରେ ତାଙ୍କ ବାପା ନିପାନି ଶ୍ରୀନିବାସ ରାଓ ଓ ମା’ କୌଶଲ୍ୟା ଦେବୀ କର୍ଣ୍ଣାଟକରୁ ଆନ୍ଧ୍ରପ୍ରଦେଶକୁ ଚାଲି ଆସିଥିଲେ। ଏହାପରେ ଯମୁନା ତାଙ୍କ ପ୍ରାଥମିକ ଶିକ୍ଷା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଦୁଗିରାଲାରେ ଗ୍ରହଣ କରିଥିଲେ । ଯମୁନାଙ୍କ ପ୍ରକୃତ ନାମ ହେଉଛି ଜାନା ବାଇ । ସେ ୧୯୫୩ ମସିହାରେ ୧୬ ବର୍ଷ ବୟସରେ ଗାରିକାପାରୀ ରାଜ ରାଓଙ୍କ ନିର୍ଦ୍ଦେଶିତ ‘ପୁତିଲୁ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ।
ଯମୁନାଙ୍କୁ ଏଲ.ଭି ପ୍ରସାଦଙ୍କ 'ମିସମ୍ମା' (୧୯୫୫)ରେ ପ୍ରଥମ ବଡ଼ ସଫଳତା ମିଳିଥିଲା । ଚାରି ଦଶନ୍ଧିର କ୍ୟାରିଅରରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଏବଂ ତାଙ୍କ ସମୟର ବରିଷ୍ଠ ଅଭିନେତାମାନଙ୍କ ସହିତ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ ଯମୁନା।
ସେ ତେଲୁଗୁ, ତାମିଲ ଓ ୧୧ଟି ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯମୁନା ସୁନୀଲ ଦତ୍ତ ଏବଂ ନୂତନଙ୍କ ଅଭିନୀତ ‘ମିଲନ’ (୧୯୬୭) ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ଏହା ତେଲୁଗୁ ଚଳଚ୍ଚିତ୍ର ‘ମୋଗା ମନସୁଲୁ (୧୯୬୪) ର ରିମେକ୍ ଥିଲା, ଯେଉଁଥିରେ ନାଗେଶ୍ୱର ରାଓ ଏବଂ ସାବିତ୍ରୀଙ୍କ ସହିତ ଯମୁନା ମଧ୍ୟ ଅଭିନୟ କରିଥିଲେ ।
ଚଳଚ୍ଚିତ୍ର ଜଗତ ବ୍ୟତୀତ ଅଭିନେତ୍ରୀ ଯମୁନା ରାଜନୀତିରେ ପାଦ ଥାପିଥିଲେ। ସେ ୧୯୮୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ତା’ପରେ ସେ ୧୯୮୯ରେ ରାଜମହେନ୍ଦ୍ରୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୧୯୯୧ରେ ନିର୍ବାଚନରେ ପରାସ୍ତ ହେବା ପରେ ସେ ରାଜନୀତି ଛାଡି ଦେଇଥିଲେ।