ନୂଆଦିଲ୍ଲୀ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସ୍ବାମୀ ତଥା ଅଭିନେତା ଭିକି କୌଶଲ ବଛା ବଛା କେତେ ଜଣ ଆକର୍ଷଣୀୟ ହିରୋଙ୍କ ମଧ୍ୟରୁ ଅନ୍ୟତମ। ସେ ହେଉଛନ୍ତି ପ୍ରତ୍ୟେକ ଭୂମିକାରେ ଖାପ ଖୁଆଇ ପାରୁଥିବା ପରି ଜଣେ ଅଭିନେତା। ତାଙ୍କ ନିକଟରେ ଚମତ୍କାର କମେଡି ଦକ୍ଷତା ଥିବା ସହ ସେ ଜଣେ ଆକ୍ସନ ହିରୋ ମଧ୍ୟ। ଆପଣ କେବେ ବିଶ୍ବାସ କରିବେ ନାହିଁ ଯେ ‘ଉରି’ରେ ଶତ୍ରୁଙ୍କୁ ଜବାବ ଦେଇଥିବା ଓ ‘ଭୂତ୍‌’ରେ ଏକ ହ‌ଣ୍ଟେଡ୍‌ ସିପ୍‌ରେ ଯାଇଥିବା ଏହି ହିରୋ ଅସଲ ଜୀବନରେ ଏକ ସ୍ଥାନକୁ ଖୁବ୍‌ ଭୟ କରନ୍ତି।

Advertisment

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସ୍ଥାନକୁ ତାଙ୍କୁ ଯିବାକୁ ପଡ଼ିଲା। ତାହା ପୁଣି କେଉଁ ଫିଲ୍ମ ସୁଟିଂ ପାଇଁ ନୁହେଁ, ନିଜ ବାହାଘର ପାଇଁ। ଏକ ଟକ୍‌ ସୋ’ରେ ଭିକି ଏହି ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ସେ କହିଥିଲେ ଯେ ସେ ଏପରି ହୋଟେଲଗୁଡିକୁ ଭୟ କରନ୍ତି ଯାହା ବହୁ ପୁରୁଣା ଇତିହାସ ସହିତ ଜଡିତ। ବିଶେଷକରି ରାଜସ୍ଥାନର ଏକ ହୋଟେଲରେ ଲାଗିଥିବା କିଛି ଚିତ୍ର ତାଙ୍କୁ ଖୁବ୍‌ ଡରାଉଥିଲା।

ପୂର୍ବରୁ ରାଜସ୍ଥାନର ସେହି ହୋଟେଲ୍‌ରେ ସେ ଏକ ଫିଲ୍ମ ସୁଟିଂ ସମୟରେ ରହିଥିଲେ। ସେଠାରେ ଲାଗିଥିବା ପେଣ୍ଟିଂ ଦେଖି ସେ ଡରୁଥିବା ବେଳେ ରାତିରେ ଲାଇଟ୍‌ ପଳାଇଲେ ସେ ଆହୁରି ଭୟଭୀତ ହେ‌ାଇ ଯାଉଥିଲେ। ହେଲେ ଭାଗ୍ୟକୁ ଭିକିଙ୍କୁ ସେହି ହୋଟେଲ୍‌ରେ ହିଁ ନିଜ ଜୀବନର ସବୁଠାରୁ ବଡ଼ କାମ ‘ବିବାହ’ କରିବାକୁ ପଡ଼ିଲା।