ସେ ବିଷୟରେ ଆଲୋଚନା କରି ଲାଭ ନାହିଁ: ସଲ୍‌ମାନଙ୍କ ଅଙ୍ଗରକ୍ଷୀ ଧକ୍କା ଦେବା ପ୍ରସଂଗରେ କହିଲେ ଭିକି କୌଶଲ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନଙ୍କ ଅଙ୍ଗରକ୍ଷୀ କଟ୍ରିନାଙ୍କ ସ୍ବାମୀ ଭିକ୍କି କୌଶଲଙ୍କୁ ଧକ୍କା ଦେଇଥିବାର ଏକ ଘଟଣା ଗତକାଲି ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେବେ ଏ ନେଇ ନିଜର ମତ ରଖିଛନ୍ତି ନିଜେ ବିକି କୌଶଲ।

ଗଣମାଧ୍ୟମରେ ନିଜର ମତ ରଖି ଭିକି କହିଛନ୍ତି, ‘ଅନେକ ସମୟ‌ରେ କିଛି ଘଟଣାକୁ ନେଇ ଅଯଥା ଆଲୋଚନା କରାଯାଏ। ଏସବୁ ଆଲୋଚନାର କୌଣସି ଆବଶ୍ୟକତା ନାହିଁ କି ଏପରି ଆଲୋଚନା କରି କିଛି ଲାଭ ନାହିଁ। ଅଧିକାଂଶ ସମୟ‌ରେ ଭିଡିଓରେ ଯେଉଁଭଳି ଭାବେ ଦେଖାଯାଏ, ବାସ୍ତବରେ ସେପରି ହୋଇନଥାଏ।’

ଆପଣ ଜାଣନ୍ତି ଯେ ଭିକି କୌଶଲଙ୍କ ପତ୍ନୀ କ୍ୟାଟ୍ରିନ୍‌ କୈଫ୍‌ ସଲ୍‌ମାନଙ୍କ ଭଉଣୀ ଅର୍ପିତାଙ୍କର ଜଣେ ଖୁବ୍ ଭଲ ବନ୍ଧୁ। ସେମାନେ ଦୀର୍ଘ ବର୍ଷ ହେବ ଖୁବ୍ ଭଲ ବନ୍ଧୁ। ଚଳିତବର୍ଷ ଅର୍ପିତାଙ୍କ ଇଦ୍‌ ପାର୍ଟିରେ ବି କ୍ୟାଟ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏପରିକି ଗତବର୍ଷ ସେ ଅର୍ପିତ‌ାଙ୍କ ଘରେ ହେଉଥିବା ଗଣେଶ ଚତୁର୍ଥୀ ପୂଜାରେ ବି ଭିକି କୌଶଲଙ୍କ ସହ ଯାଇ ପହଞ୍ଚିଥିଲେ।

 

ଉଲ୍ଲେଖଯୋଗ୍ୟ, ଗତକାଲି ଭାଇରାଲ୍‌ ହୋଇଥିବା ଭିଡିଓରେ ସଲମାନଙ୍କ ସିକ୍ୟୁରିଟି ଟିମ ଭିକ୍କି କୌଶଲଙ୍କ ସହିତ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ତେବେ ସଲମାନ ଓ ଭିକ୍କି ନିକଟ‌ରେ ଆଇଆଇଏଫଏ-୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠ‌ାରେ ଏହି ଦୁଇଷ୍ଟାରଙ୍କ ଭେଟା‌ଭେଟି ହୋଇଥିଲା। ତେବେ ଭିକ୍କି ଆଇଆଇଏଫଏ -୨୦୨୩ କାର୍ଯ୍ୟକ୍ରମରେ ଥିବା ବେଳେ ତାଙ୍କର ଜଣେ ଫ୍ୟାନଙ୍କ ସହ ସେ ଫଟୋ ଉଠାଉଥି‌ଲେ। ଏହି ସମୟରେ ସାମ୍ନାରୁ ସଲମାନ ଆସି ଯାଇଥିଲେ। ତେବେ ରାସ୍ତା ଫାଙ୍କା କରିବାକୁ ଯାଇ ସଲମାନଙ୍କ ଅଙ୍ଗରକ୍ଷୀମାନେ ଭିକ୍କିଙ୍କୁ ଧକ୍କା ଦେଇଥିଲେ। ଭିକ୍କି କିଛିପାଦ ଆଗକୁ ଚାଲି ଯାଇଥିଲେ। ଏହି ଘଟଣାରେ ଅଭିନେତା ଆଶ୍ଚର୍ଯ୍ୟ ବି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର