ମୁମ୍ବାଇ: ଆଜି ଭାଲେଣ୍ଟାଇନ୍ସ ଡେ’ ଅବସରରେ ବିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ସିନେମା "ଛାବା" ବକ୍ସ ଅଫିସରେ ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଓ ଟିଜର ରିଲିଜ୍ ହେବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲା। ବିକିଙ୍କ ଚମତ୍କାର ଅଭିନୟ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିଲେ। ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି, କାରଣ ରିଲିଜ୍ ହୋଇଛି "ଛାବା"। ଫିଲ୍ମଟି ରିଲିଜ୍ ହେବା ପରେ ଯେତିକି ଆଶା ଥିଲା ତା’ଠାରୁ ଅଧିକ ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି। ଅଧିକାଂଶ ସମୀକ୍ଷକ ଫିଲ୍ମଟିକୁ ବହୁତ ଭଲ ବୋଲି ବର୍ଣ୍ଣନା କରିଛନ୍ତି।
ସବୁଠୁ ବଡ଼ କଥା ହେଉଛି ଏହି ବର୍ଷ ମୁକ୍ତିଲାଭ କରିଥିବା ସମସ୍ତ ବଲିଉଡ୍ ସିନେମା ଫ୍ଲପ୍ ହୋଇଛି। ଏପରି ସ୍ଥିତିରେ, "ଛାବା"ର ପ୍ରଥମ ଦିନର ଆୟ ଦେଖିଲେ ଲାଗୁଛି ଯେ ଏହା ଚଳିତ ବର୍ଷର ବଲିଉଡର ପ୍ରଥମ ବ୍ଲକବଷ୍ଟର ସିନେମା ହୋଇପାରେ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଦିନର ଆୟ ସହି ଜଡିତ ସୂଚନା ସାମ୍ନାକୁ ଆସିଛି ଏବଂ ଫିଲ୍ମଟି ବକ୍ସ ଅଫିସରେ ସନ୍ଧ୍ୟା ୫:୧୫ ପର୍ଯ୍ୟନ୍ତ ୧୫.୫୧ କୋଟି ଟଙ୍କା ରୋଜଗାର କରିଥିବା ଜାତୀୟ ଗଣମାଧ୍ୟମରେ ଦାବି କରାଯାଉଛି।
ଏହି ବର୍ଷ ଆରମ୍ଭରେ 'ଏମରଜେନ୍ସି' ଏବଂ 'ଆଜାଦ' ଭଳି ଫିଲ୍ମ ମୁକ୍ତିଲାଭ କରିଥିଲା। ୨ଟି ଫିଲ୍ମର ପ୍ରଥମ ଦିନର ଆୟ ଯଥାକ୍ରମେ ୨.୫ କୋଟି ଏବଂ ୧.୫ କୋଟି ଥିଲା। ଏହା ପରେ, ରିଲିଜ ହୋଇଥିବା ଫିଲ୍ମ 'ସ୍କାଏ ଫୋର୍ସ'ର ପ୍ରଥମ ଦିନର କଲେକ୍ସନ ୧୨.୨୫ କୋଟି ଏବଂ 'ଦେବା'ର ୫.୫ କୋଟି ଥିଲା। 'ଲଭୟାପା' ଏବଂ 'ବାଡାସ୍ ରବିକୁମାର'ର ପ୍ରଥମ ଦିନର ଆୟ ବିଷୟରେ କହିବାକୁ ଗଲେ, ଏହା ଯଥାକ୍ରମେ ୧.୨୫କୋଟି ଏବଂ ୨.୭୫ କୋଟି ଟଙ୍କା ଆୟ କରିଥିଲା।