ଚଳଚ୍ଚିତ୍ର ‘ନିୟତ’ରେ ହତ୍ୟାର ରହସ୍ୟ ଖୋଲିବେ ନାୟିକା ବିଦ୍ୟା ବାଲାନ

ମୁମ୍ବାଇ: ଚଳଚ୍ଚିତ୍ର ‘ପରିଣୀତା’ରୁ ଆରମ୍ଭ ହେଇଥବା ତାଙ୍କ ଅଭିନୟ ଯାତ୍ରାରେ ଯଦିଓ ସଂଖ୍ୟା ବେଶୀ ନୁହେଁ ହେଲେ ତାଙ୍କ ଅଭିନୀତ ପ୍ରାୟ ସିନେମା ଦର୍ଶକଙ୍କୁ ବିମୋହିତ କରିବା ସହ ବ୍ୟବସାୟିକ ସଫଳତା ମଧ୍ୟ ପାଇଛି। ଅଭିନେତ୍ରୀ ବିଦ୍ୟା ବାଲାନ ‘ଲଗେ ରହୋ ମୁନ୍ନାଭାଇ’ରେ କରିଥିବା ରେଡିଓ ଜକି ଭୂମିକାରୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ସଲାମ-ଏ-ଇସ୍କ, ଏକଲବ୍ୟ, ହେ ବେବି, ଭୁଲ ଭୁଲାୟା, କିସମତ କନେକସନ, ପା, ଇସ୍କିୟା, ନୋ ୱାନ କିଲ୍‌ଡ ଜେସିକା, ଦମ୍ ମାରୋ ଦମ୍ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଆସି ଦର୍ଶକଙ୍କ ମନ ଜିଣିଛନ୍ତି ବିଦ୍ୟା।

ତେବେ ଜଣେ ସାଧାରଣ ଅଭିନେତ୍ରୀ ଭାବେ ଦର୍ଶକଙ୍କ ମନରେ ଘର କରିଥିବା ବିଦ୍ୟା ‘ଦ ଡାର୍ଟି ପିକଚର’ ଓ ‘କହାନୀ’ ପରି ଫିଲ୍ମରେ ଏମିତି ଅସାଧାରଣ ଅଭିନୟ କରିବେ ତାହା ମଧ୍ୟ ଅନେକଙ୍କୁ ଚକିତ କରିଥିଲା। ବିଦ୍ୟାଙ୍କ ଅଭିନୀତ ଏହାପରେ ‘ମିସନ୍ ମଙ୍ଗଲ’ ପ୍ରେକ୍ଷାଳୟରେ ଏବଂ ‘ଶକୁନ୍ତଳା ଦେବୀ’, ‘ଶେରନୀ’ ଓ ‘ଜଲସା’ ଆଦି ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଫିଲ୍ମ ଦେଶ ବିଦେଶର କୋଟି କୋଟି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଚଳଚ୍ଚିତ୍ରରେ ବିଦ୍ୟା ବି କିଛି କମ୍ କମାଲ୍‌ ଦେଖାଇନାହାନ୍ତି। କେବଳ ବଲିଉଡ୍ ନୁହେଁ ସେ ବଙ୍ଗଳା, ତେଲୁଗୁ, ତାମିଲ, ମାଲୟାଲମ୍ ଭାଷାର ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ଏବେ ବିଦ୍ୟାଙ୍କୁ ମୁଖ୍ୟ ଚରିତ୍ର ଭାବେ ନେଇ ଅନୁ ମେନନ୍ ୟୁନାଇଟେଡ୍ କିଙ୍ଗଡମ୍ (ସଂଯୁକ୍ତରାଷ୍ଟ୍ର)ର ଭିନ୍ନ ଭିନ୍ନ ଲୋକେସନରେ ସୁଟିଂ କରିବାକୁ ଯାଉଛନ୍ତି ନୂଆ ଚଳଚ୍ଚିତ୍ର ‘ନିୟତ’। ଜଣେ ମିଲେନିୟର୍ ତାଙ୍କ ଜନ୍ମଦିନ ପାଳନରେ ମସଗୁଲ ଥିବାବେଳେ କେମିତି ରହସ୍ୟଜନକ ଭାବେ ତାଙ୍କର ହତ୍ୟା ହେଉଛି ଏଭଳି କାହାଣୀକୁ ନେଇ ନିର୍ମିତ ହେଉଛି ଚଳଚ୍ଚିତ୍ର ‘ନିୟତ’। ଏଥିରେ ନାୟିକା ମୀରା ରାଓଙ୍କ ଭୂମିକାରେ ରହିବେ ବିଦ୍ୟା। ସେ ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବେ। ୧୯୮୦ ମସିହାରେ ମଧ୍ୟ ଏହି ‘ନିୟତ’ ଶୀର୍ଷକର ଚଳଚ୍ଚିତ୍ର ଦର୍ଶକ ଦେଖିଥିଲେ, ଯେଉଁଥିରେ ଶଶୀ କପୁର, ଜିତେନ୍ଦ୍ର, ରାକେଶ ରୋଶନ୍ ଓ ରେଖାଙ୍କୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର