ମୁମ୍ବାଇ: କରୋନା ଭାଇରସ୍କୁ ନେଇ ଅନେକ ସେଲିବ୍ରେଟି ପୂର୍ବରୁ ନିଜ ନିଜ ହିସାବରେ ସଚେତନତାର ବାର୍ତ୍ତା ଦେଇ ସାରିଥିବା ବେଳେ ଏବେ ସେଲିବ୍ରେଟି ଫଟୋଗ୍ରାଫର୍ ଅବିନାଶ ଗ୍ବୟାରିକର୍ ଏକ ଅଭିନବ ଉପାୟରେ ସଚେତନାର ବାର୍ତ୍ତା ବାଣ୍ଟିଛନ୍ତି। ସେ ଫଟୋସୁଟ୍ କରିଥିବା ବଲିଉଡ୍ ତାରକାମାନଙ୍କ ପୁରୁଣା ଫଟୋକୁ ସଂଗ୍ରହ କରି କିପରି ଫେସ୍ମାସ୍କ ପିନ୍ଧିବା ତାହା କହିଛନ୍ତି।
ବଲିଉଡ୍ ତାରକାମାନଙ୍କ ଭିତରେ ଅଛନ୍ତି ମେଗାଷ୍ଟାର୍ ଅମିତାଭ ବଚ୍ଚନ, ଦବଙ୍ଗବୟ ସଲମାନ୍ ଖାନ୍, କିଙ୍ଗ୍ଖାନ୍ ଶାହାରୁଖ, ଆଲିଆ ଭଟ୍ଟ ଏବଂ ପ୍ରିୟଙ୍କା ଚୋପ୍ରା ପ୍ରମୁ୍ଖ। ଏହି ଫଟୋ କୋଲାଜ୍ରେ ସେ ପ୍ରଶଂସକମାନଙ୍କୁ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି। ଅବିନାଶ କରିଥିବା ଏହି ଇନ୍ଷ୍ଟା ପୋଷ୍ଟ୍କୁ ନିଜ ଆକାଉଣ୍ଟ୍ରେ ସେୟାର୍ କରିଛନ୍ତି ବିଗ୍ ବି।
View this post on InstagramWear the mask .. an initiative by @avigowariker .. ace photographer and dear friend
ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ବଲିଉଡ୍ ସେଲିବ୍ରେଟିମାନେ ପୂର୍ବରୁ ବି କରୋନା ଭାଇରସ୍ ମୁକାବିଲାକୁ ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି। ସାମଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ନିକଟ ଅତୀତରେ କରାଯାଇଥିବା ଏକ ସର୍ଟ-ଫିଲ୍ମରେ ଅମିତାଭ ବଚ୍ଚନ, ପ୍ରିୟଙ୍କା ଚୋପ୍ରା, ଦିଲ୍ଜିତ୍ ଦୋଶାଞ୍ଜ, ସୋନାଲି କୁଲ୍କରନି, ଶିବରାଜ କୁମାର, ପ୍ରଶନଞ୍ଜିତ୍ ଚାଟାର୍ଜୀ, ରଜନୀକାନ୍ତ, ମୋହନଲାଲ୍, ମମୋଟି ଏବଂ ଚିରଞ୍ଜୀବୀ ଆଦିଙ୍କୁ ଦେଖିବାକୁ ମିଳିଥିଲା।
ଉଲ୍ଲେଖଯୋଗ୍ୟ, ଅଦ୍ୟାବଧି ଭାରତରେ ସମୁଦାୟ ୧ ଲକ୍ଷ ୩୮ ହଜାର ୮୪୫ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୪,୦୨୧।