ଟ୍ରୋଲିଂ ମୋ ପାଇଁ ନୂଆ ନୁହେଁ, ଛୋଟ ବେଳୁ ହୋଇ ଆସୁଛି: ବିଜୟ ଦେବରକୋଣ୍ଡା

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଇଗର’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ବିଜୟ ଦେବରକୋଣ୍ଡା ‘ଲାଇଗର’ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଜୟଙ୍କ ବିପକ୍ଷରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନଜର ଆସିବା ସହ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପୁରୀ ଜଗନ୍ନାଥ। ଫିଲ୍ମର ପ୍ରମୋସନ ସମୟରେ ଯେତେବେଳେ ବିଜୟଙ୍କୁ ଟ୍ରୋଲିଂ ଉପରେ ପ୍ରଶ୍ନ କରାଯାଇଥିଲା, ସେତେବେଳେ ସେ ନିଜ ଅନ୍ଦାଜରେ ଏହାର ଜବାବ ଦେଇଥିଲେ।

ସୋସିଆଲ ମିଡିଆରେ ଲୋକେ କଳାକାରଙ୍କୁ ଟ୍ରୋଲ କରିବା ସହ ସେମାନଙ୍କ ଫିଲ୍ମକୁ ବଏକଟ କରୁଥିବା ବେଳେ ଏନେଇ ବିଜୟଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ବିଜୟ କହିଥିଲେ ଯେ, ଏହା ଏକ ସାଧାରଣ କଥା। ଏହିପରି ଘଟଣା ଆମ ସମସ୍ତଙ୍କ ସହିତ ପ୍ରତିଦିନ ଘଟେ। ଅଭିନେତା ହେବା ପୂର୍ବରୁ ମଉସା ଏବଂ ମାଉସୀମାନେ ଘରକୁ ଆସି ପରୀକ୍ଷାର ଫଳାଫଳ, କଲେଜ, ଚାକିରି ବିଷୟରେ ପଚାରି ଟ୍ରୋଲ କରୁଥିଲେ। ଏବେ ସୋସିଆଲ ମିଡିଆରେ ଲୋକେ ସେହି କାମ କରୁଛନ୍ତି, ଯାହାକୁ ଆମେ ଟ୍ରୋଲିଂ କହୁଛେ। ଜୀବନରେ ଆପଣ ଯାହା ବି କରନ୍ତୁ, ଟ୍ରୋଲିଂ ସବୁବେଳେ ଜାରି ରହିବ। ବିଜୟଙ୍କ ମୁହଁରୁ ଏଭଳି ଉତ୍ତର ଶୁଣିବା ପରେ ଉପସ୍ଥିତ ଲୋକେ ତାଳି ମାରିବା ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର