ମୁମ୍ବାଇ: 'ସ୍ତ୍ରୀ', 'ଗଲି ବୟ' ଭଳି ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଥିବା ଲୋକପ୍ରିୟ ବଲିଉଡ ଅଭିନେତା ବିଜୟ ରାଜଙ୍କ ଉପରେ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିଲା।
ଅଭିନେତା ବିଜୟ ରାଜଙ୍କ ବିରୋଧରେ ସିନେମା 'ସେରନି'ର ଜଣେ କ୍ରୁ ସଦସ୍ୟ ଅଭିଯୋଗ କରି କହିଥିଲେ, ‘ସୁଟିଂ ସମୟରେ ଅଭିନେତା ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ।’ ଗୋଣ୍ଡିଆର ରାମନଗର ପୁଲିସ ଷ୍ଟେସନରେ ବିଜୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।
ରିପୋର୍ଟ ଅନୁଯାୟୀ ଏହି ମାମଲା ୨୦୨୦ ମସିହା ଅକ୍ଟୋବରରୁ ୨୫ରୁ ୨୯ ମଧ୍ୟରେ ଘଟିଥିଲା। ଅଭିଯୋଗ ପରେ ଅଭିନେତାଙ୍କୁ ଗୋଣ୍ଡିଆର ରାମନଗର ପୁଲିସ ଏକ ହୋଟେଲରୁ ଗିରଫ କରିଥିଲା। କିନ୍ତୁ ସେହି ବର୍ଷ ନଭେମ୍ବର ୪ ତାରିଖରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ବିଜୟ ରାଜଙ୍କୁ ଏହି ମାମଲାରେ ସମ୍ପ୍ରତି କୋର୍ଟ କ୍ଲିନଚିଟ ଦେଇଛନ୍ତି।
ଗୋଣ୍ଡିଆର ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ କୋର୍ଟ ଅଭିନେତା ବିଜୟ ରାଜଙ୍କୁ ୨୦୨୦ ମସିହାରେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ନିର୍ଯାତନା ମାମଲା ଅଭିଯୋଗରୁ ମୁକ୍ତ କରିଛନ୍ତି। ଶୁଣାଣି ସମାପ୍ତ କରିବା ପରେ କୋର୍ଟ ତାଙ୍କୁ ନିର୍ଦୋଷ ବୋଲି ଘୋଷଣା କରିଛନ୍ତି ଏବଂ ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।
ଏହି ମାମଲାରେ ପ୍ରମାଣର ଅଭାବ ରହିଥିବା ସହିତ ଅପରାଧ ପ୍ରମାଣ କରିବାରେ ଅଭିଯୋଗକାରୀ ବିଫଳ ହୋଇଥିଲେ। କେବଳ ଏତିକି ନୁହେଁ ସିସିଟିଭି ଫୁଟେଜ୍ ମଧ୍ୟ ଅଭିଯୋଗକୁ ପ୍ରମାଣ କରିବାରେ ସଫଳ ହୋଇ ପାରି ନଥିଲା।।