ଥଲପତି ବିଜୟଙ୍କ ‘ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ (ଜି.ଓ.ଏ.ଟି.)’ ଏକ ସୁପର୍ହିରୋ ଚଳଚ୍ଚିତ୍ର ନୁହେଁ, କିନ୍ତୁ ସୁପରହିରୋ ସିନେମା ନେଇ ଯୁବପିଢ଼ିଙ୍କ ମଧ୍ୟରେ ଯେଉଁ ପାଗଳପ୍ରାୟ ମାଦକତା ଦେଖିବାକୁ ମିଳେ ତାହା ବିଜୟଙ୍କ ପ୍ରଶଂସକମାନେ ମଧ୍ୟ ପ୍ରଦର୍ଶନ କରିଥାନ୍ତି। ଆଉ ବିଜୟଙ୍କ ବ୍ୟକ୍ତିତ୍ବକୁ ନେଇ ରହିଆସିଥିବା ସେହି ଗ୍ରହଣୀୟତାର ଭିତ୍ତି ତଥା ‘ଜି.ଓ.ଏ.ଟି.’ ତାଙ୍କ କ୍ୟାରିଅର୍ର ଦ୍ବିତୀୟ ଶେଷତମ ହୋଇଥିବାରୁ ସେ ପରଦାରେ ଆବିର୍ଭାବ ହେବା ସମୟରୁ ତାଙ୍କର ମହାମାନବୀୟ ଆବେଦନ ସ୍ପଷ୍ଟ ହୋଇଯାଏ। ଏହି ସିନେମାରେ ଜଣେ ନୁହେଁ, ଏକାଧିକ ବିଜୟ ଅଭିନୀତ ଚରିତ୍ର ଥିବାରୁ ଏହାର ଆକ୍ସନ୍ ଓ ରୋମାଞ୍ଚ ଉପାଦାନ ଶକ୍ତିଶାଳୀ ହେବା ସ୍ବାଭାବିକ। ତେବେ ବ୍ୟୟବହୁଳ ତାମିଲ ସିନେମାଗୁଡ଼ିକୁ ଅବାସ୍ତବ କାହାଣୀ ଓ ଅତିରଞ୍ଜିତ ଅଭିନୟ ପାଇଁ ନାପସନ୍ଦ କରୁଥିବା ଦର୍ଶକଙ୍କୁ ‘ଜି.ଓ.ଏ.ଟି.’ ମଧ୍ୟ ବିଶେଷ ଭାବେ ପ୍ରଭାବିତ କରିବ ନାହିଁ।
ଏହି ତିନିଘଣ୍ଟିଆ ସିନେମାର କାହାଣୀ ଦୁଇଟି କାଳଖଣ୍ଡ ଓ ପୃଥିବୀର ବିଭିନ୍ନ ସ୍ଥାନରେ ଅଭିନୀତ ହୋଇଛି। ସ୍ପେସିଆଲ୍ ଆଣ୍ଟି-ଟେରରିଜମ୍ ସ୍କ୍ବାଡ୍ (ଏସ୍ଏଟିଏସ୍)ର ଚାରି ଜଣ ଗୋଇନ୍ଦା ଅଫିସର୍ ହେଉଛନ୍ତି ଗାନ୍ଧୀ (ବିଜୟ), ସୁନୀଲ (ପ୍ରଶାନ୍ତ) , କଲ୍ୟାଣ (ପ୍ରଭୁ ଦେବା) ଓ ଅଜୟ (ଅଜମଲ ଅମିର)। ଆରମ୍ଭରେ ସେମାନେ ପୂର୍ବତନ ‘ଏସ୍ଏଟିଏସ୍’ ମୁଖ୍ୟ ତଥା ରାଷ୍ଟ୍ରଦ୍ରୋହୀ ରାଜୀବ ମେନନ (ମୋହନ)ଙ୍କୁ କେନିଆରେ ଠାବ କରି ସେ ଥିବା ଏକ ଟ୍ରେନ୍କୁ ଧ୍ବଂସ କରିଦିଅନ୍ତି। ଏହା ପରେ ଗାନ୍ଧୀଙ୍କ ପାରିବାରିକ ଜୀବନ କାହାଣୀର କେନ୍ଦ୍ରକୁ ଆସେ, ଯେତେବେଳେ ବ୍ୟାଙ୍ଗ୍କକ୍ରେ ସପରିବାର ଯାତ୍ରା କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୁଏ ଏବଂ ଗାନ୍ଧୀଙ୍କ ପାଞ୍ଚ ବର୍ଷର ପୁଅ ‘ଜୀବନ’ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁବରଣ କରେ। ଏହା ପରବର୍ତ୍ତୀ ଭାବପ୍ରବଣ ଦୃଶ୍ୟଗୁଡ଼ିକରେ ବିଜୟଙ୍କ ଅଭିନୟ, ତାଙ୍କୁ କେବଳ ଜଣେ ଆକ୍ସନ ହିରୋ ଭାବେ ଜାଣିଥିବା ଦର୍ଶକଙ୍କୁ ଚକିତ କରିବ। କାରଣ ସଲମାନ ଖାଁ, ଜନ୍ ଅବ୍ରାହମ, ଟାଇଗର ଶ୍ରଫ ଭଳି ବଲିଉଡ୍ ଅଭିନେତା ଖୁବ୍ କମ୍ ଭାବପ୍ରବଣ ହେବା ଅଥବା ଭାବପ୍ରବଣ ହେଲେ ଅପ୍ରାକୃତିକ ଲାଗୁଥିବା ବେଳେ ବିଜୟ ପୁଅ ମୃତ୍ୟୁ ଦୁଃଖରେ କାନ୍ଦିବା ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ତଥା ବିଶ୍ବସନୀୟ ଲାଗିଥାଏ।
ନିର୍ଦେଶକ ଭେଙ୍କଟ ପ୍ରଭୁଙ୍କ ଦ୍ବାରା ରଚିତ କାହାଣୀର ଦୁର୍ବଳତା ହେଲା ଏଥିରେ କୌଣସି ନୂତନତ୍ବ ନାହିଁ। ତଥାପି ଅଭିଜ୍ଞ ଅଭିନେତାମାନଙ୍କ ଯୋଗୁଁ ଚଳଚ୍ଚିତ୍ରଟି ସମଗ୍ର ଦୃଷ୍ଟିରୁ ନିରାଶ କରିନଥାଏ। ନିକଟରେ ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ମହାରାଜା’ ପ୍ରତିଶୋଧାତ୍ମକ କାହାଣୀକୁ ଏକ ଅଭୂତପୂର୍ବ ଶୈଳୀରେ ଉପସ୍ଥାପନ କରିଛି। ତେବେ ‘ମହାରାଜା’କୁ ‘ଜି.ଓ.ଏ.ଟି.’ ଯେଉଁ କ୍ଷେତ୍ରରେ ଅତିକ୍ରମ କରିଥାଏ ତାହା ହେଉଛି ସୁପର୍ଷ୍ଟାର୍ ବିଜୟଙ୍କୁ ନେଇ ଦର୍ଶକଙ୍କ ଭାବପ୍ରବଣତା।
ଏହି ସିେନମାରେ ତରୁଣ ‘ଜୀବନ’ ଭାବେ ବିଜୟ ଯୁଗ୍ମ ରୋଲ୍ରେ ଯେତେବେଳେ ଅବତୀର୍ଣ୍ଣ ହୁଅନ୍ତି ଚଳଚ୍ଚିତ୍ରଟି ଭିଏଫ୍ଏକ୍ସ ଦୃଷ୍ଟିରୁ ଦୁର୍ବଳ ବୋଲି ଜଣାପଡ଼େ। ଆଇପିଏଲ୍ ମ୍ୟାଚ୍ ଚାଲିଥିବା ଏକ ଷ୍ଟାଡିଅମ୍ରେ ଶେଷ ଦୃଶ୍ୟଗୁଡ଼ିକ ସୁଟିଂ କରିବାର ନିଷ୍ପତ୍ତି ଚମକପ୍ରଦ ହୋଇଥିଲେ ହେଁ ଷ୍ଟାଡିଅମ୍ର ନିର୍ଣ୍ଣାୟକ ଆକ୍ସନ୍ ଦୃଶ୍ୟଗୁଡ଼ିକ ଖରାପ ଭିଏଫ୍ଏକ୍ସ ଯୋଗୁଁ ହାସ୍ୟାସ୍ପଦ ସ୍ତରର ଲାଗେ। ଏହି ସିନେମା ନିଜ ନାମ ଅନୁଯାୟୀ ‘ସର୍ବକାଳୀନ ଶ୍ରେଷ୍ଠ’ ବୋଲି କହିବା ବୋଧହୁଏ ଭୁଲ୍ ହେବ। ତେବେ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନୀଙ୍କୁ ‘ସର୍ବକାଳୀନ ଶ୍ରେଷ୍ଠ’ ରୂପେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା କ୍ରିକେଟ୍ପ୍ରେମୀଙ୍କୁ ଖୁବ୍ ଆମୋଦିତ କରିବ ନିଶ୍ଚୟ।