ସାଜିଦ୍‌ ଖାନ୍‌ଙ୍କ ପରେ ଏବେ #ମି ଠୁ ଅଭିଯାନର ଶିକାର ହେଲେ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହା,

‘ସାକ୍ରେଡ଼୍‍ ଗେମ୍ସ’ ଅଭିନେତ୍ରୀ ଆଣିଲେ ଯୌନ ଶୋଷଣର ଅଭିଯୋଗ

ମୁମ୍ବାଇ : #ମି ଠୁ ଅଭିଯାନର ପ୍ରଭାବ ସାରା ଦେଶରେ ଏବେ ପଡ଼ି ସାରିଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ନାଁ ସାମ୍ନାକୁ ଆସୁଛି । ସବୁ କ୍ଷେତ୍ରର ଲୋକମାନଙ୍କ ନାଁ ଏଥିରେ ସାମିଲ ହୋଇ ସାରିଥିବା ବେଳେ ଏବେ ଅର୍ଜୁନ୍‌-ପରିଣୀତିଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହାଙ୍କ ନାମ ସାମିଲ ହୋଇଥିବା ଜଣାପଡ଼ିଛି ।

ନେଟ୍‌ଫ୍ଲିକ୍ସରେ ପ୍ରସାରିତ ହେଉଥିବା ସିରିଜ୍‌ ‘ସାକ୍ରେଡ଼ ଗେମ୍ସ’ର ଅଭିନେତ୍ରୀ ଏଲ୍‌ନାଜ୍‌ ନୋରୋଜି ବିପୁଲଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିବା ଜଣାପଡ଼ିଛି । । ବିପୁଲ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଅଶାଳୀନ ଭାବରେ ସ୍ପର୍ଶ କରିବା ସହ ଥରେ ତାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ ବୋଲି ଏଲ୍‌ନାଜ୍‌ ଜଣାଇଛନ୍ତି । ଏକ ସାକ୍ଷାତକାରରେ ଯୋଗ ଦେଇ ଏଲ୍‌ନାଜ୍‌ ବିପୁଲଙ୍କ ଅସଲ ମୁଖା ଖୋଲିଥିଲେ ।

ତାଙ୍କ କହିବା ଅନୁଯାୟୀ, “ବିପୁଲ ଫିଲ୍ମରେ ଥିବା ଦ୍ୱିତୀୟ ମୁଖ୍ୟ ଅଭିନେତ୍ରୀ ଭୂମିକା ପାଇଁ ମୋତେ ପ୍ରସ୍ତାବ ଦେଇଥିଲେ । କିନ୍ତୁ ବାରମ୍ବାର ଅଡ଼ିସନ୍‌ ଦେବା ପରେ ମଧ୍ୟ ସେ ମୋତେ ନେବେ ବୋଲି ଠିକ୍‌ କରି କହୁ ନ ଥିଲେ । ୨-୩ ଥର ଅଡ଼ିସନ ଦେବା ପରେ ସେ ମୋତେ ତାଙ୍କ ଅଫିସକୁ ଡ଼ାକି ଅଡ଼ିସନ ଦେବା ପାଇଁ କହିଥିଲେ । କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ମୋର ଅଭିନୟ ପସନ୍ଦ ଆସି ନ ଥିଲା । ସବୁ ଜାଣି ମୁଁ ବାହାରକୁ ଆସୁଥିବା ବେଳେ ସେ ମୋ ପାଖକୁ ଆସି ମୋ ଗାଲକୁ ଚୁମ୍ବନ ଦେଇଥିଲେ । ଯାହା ପରେ ମୁଁ ତାଙ୍କର ସବୁ ଚାଲ ଜାଣି ପାରିଥିଲି । ମୋତେ ଫିଲ୍ମରେ ନେବା ବାହାନାରେ ତାଙ୍କର ଅନ୍ୟ କିଛି ଆଶା ରହିଥିଲା” ବୋଲି ଏଲ୍‌ନାଜ୍‌ କହିଥିଲେ।

ପୁଲିସରେ ଅଭିଯୋଗ କାହିଁକି କରିଲ ନାହିଁ ବୋଲି ପଚରାଯିବା ପରେ, “ମୁଁ ବିଦେଶୀ ହୋଇଥିବାରୁ ଭିଜା ଏବଂ ପାସପୋର୍ଟରେ ହେବାକୁ ଥିବା ଅସୁବିଧାକୁ ଦେଖି ମୁଁ ଅଭିଯୋଗ କରି ନଥିଲି । କିନ୍ତୁ ଏବେ #ମି ଠୁ ଅଭିଯାନକୁ ଏତେ ସକ୍ରିୟ ହେଉଥିବା ଦେଖି ମୁଁ କହିବାକୁ ସାହାସ କଲି” ବୋଲି ଏଲ୍‌ନାଜ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର