ମୁମ୍ବାଇ: ୨୦୨୩ରେ ରିଲିଜ୍ ହୋଇଥିଲା ଫିଲ୍ମ 'ଯବାନ'। ଏଥିରେ ନଜର ଆସିଥିଲେ ବଲିଉଡର କିଙ୍ଗ ଶାହରୁଖ ଖାନ୍। ଫିଲ୍ମରେ କଣ୍ଟେଣ୍ଟ କ୍ରିଏଟର ବିରାଜ ଗେଲାନୀ ବି ନଜର ଆସିଥିଲେ। ହେଲେ ତାଙ୍କର ଅଭିଜ୍ଞତା ଭଲ ନଥିବା ସେ କହିଛନ୍ତି। ବିରାଜ 'ଗୋବିନ୍ଦା ନାମ ମେରା' ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ଯବାନ'ରେ କାମିଓ କରିଥିଲେ। ଫିଲ୍ମରେ ତାଙ୍କୁ କିଛି ସେକେଣ୍ଡ ପାଇଁ ଦେଖିବାକୁ ମିଳିଥିଲା । ହେଲେ ସୁଟିଂ ସେଟର ଅଭିଜ୍ଞତା ଭଲ ନଥିବା କହିଛନ୍ତି ବିରାଜ।
ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ କାହିଁକି 'ଯବାନ' କରୁଥିଲି? ମୋ ପ୍ରଶଂସକମାନେ ମୋ ପାଇଁ ଫିଲ୍ମ ଦେଖିବାକୁ ଆସିଥିଲେ। କିନ୍ତୁ ଏହି ଫିଲ୍ମରେ କାମ କରିବା ମୋ ପାଇଁ ସବୁଠାରୁ ଖରାପ ଅନୁଭୂତି ଥିଲା | ଫିଲ୍ମରେ ଶାହରୁଖ ଓ ସଞ୍ଜୟ ଦତ୍ତଙ୍କ ଭଳି କଳାକାର ଥିଲେ। ତେଣୁ ସୁଟିଂ ସେଟରେ ମୋ ସହିତ ଭଲ ବ୍ୟବହାର କରାଯାଇନଥିଲା। ମୋ ପ୍ରଶଂସକଙ୍କୁ ବ୍ୟବହାର କରିବା ପାଇଁ ସେ ମୋତେ ଫିଲ୍ମକୁ ନେଇଥିଲେ। ମୁଁ ମେ’ ମାସରେ ବହୁତ ଖରାରେ ୧୦ଦିନ ଧରି ଫିଲ୍ମର ସୁଟିଂ କରିଥିଲି। ରିଲିଜ୍ ହେବା ଦିନ ମୋ ସାଙ୍ଗ ଓ ପ୍ରେମିକାଙ୍କୁ ନେଇ ଫିଲ୍ମ ଦେଖିବାକୁ ଯିବା ପରେ ଜଣାପଡ଼ିଲା ଯେ, ମାତ୍ର କିଛି ସେକେଣ୍ଡ ପାଇଁ ମୋର ଦୃଶ୍ୟ ରହିଛି। ଏତେ କଷ୍ଟ କରିବା ପରେ ବି ସେମାନେ ମୋର ଏକାଧିକ ଦୃଶ୍ୟ କାଟି ଦେଇଥିଲେ।"